ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର, ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
ଭୁବନେଶ୍ୱର : ଚାଲିଗଲେ ପଦ୍ମଶ୍ରୀ ନନ୍ଦ ସାର । ଭୁବନେଶ୍ୱର ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଲା। ପରଲୋକ ନେଇ ନନ୍ଦ ସାର୍ଙ୍କ ନାତି ଖଗେଶ୍ୱର ପୃଷ୍ଟି ସୂଚନା ଦେଇଛନ୍ତି। ଏନେଇ ବିଭିନ୍ନ ମହଲରେ ଦୁଃଖର ଛାୟା ଖେଳି ଯାଇଛି ।
ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଗତ କିଛି ଦିନ ଧରି ଜ୍ୱରରେ ପୀଡିତ ଥିଲେ । ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ଯାଜପୁର ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା। ତାଙ୍କର କୋଭିଡ ରିପୋର୍ଟ ପଜିଟିଭ ଆସିଥିଲା। ଫଳରେ ନନ୍ଦ ସାରଙ୍କୁ କଳିଙ୍ଗନଗର ଟାଟା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ପୁଣି ତାଙ୍କୁ ଭୁବନେଶ୍ୱରର ସୋମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ଆଜି ଦେହାନ୍ତ ହୋଇଥିବା ଜଣାପଡିଛି । ସୂଚନା ଯେ, ସୁକିନ୍ଦା ବ୍ଲକର କଂଟିରାରେ ନନ୍ଦ ପୃଷ୍ଟିଙ୍କ ଘର। ପିଲା ବେଳେ ନନ୍ଦ ପୃଷ୍ଟିଙ୍କ ପରିବାର ଆର୍ଥିକ ସଙ୍କଟ ଦେଇ ଗତ କରିଥିଲେ। କିନ୍ତୁ ସେ ଦୀର୍ଘ ୭୦ ବର୍ଷ ହେଲା ନିଜ ଗାଁରେ ମାଗଣାରେ ଶିକ୍ଷାଦାନ କରୁଛନ୍ତି। ନିଜ ଘର ପାଖରେ ନନ୍ଦ ସାର ଏକ ସ୍କୁଲ ଖୋଲିଛନ୍ତି। ୧୦୩ ବର୍ଷିୟ ନନ୍ଦ ସାର ଚଳିତ ମାସ ୨ୟ ସପ୍ତାହରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ। ଏହି ଅବସରରେ ସେ ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ ଦେବାର ଦୃଶ୍ୟ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା।
