ଶ୍ରୀନଗରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
ଜମ୍ମୁ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୨୩ ଅକ୍ଟୋବରରେ ଶ୍ରୀନଗରରେ ପହଂଚିଛନ୍ତି । ତାଙ୍କର ତିନି ଦିନିଆ ଗସ୍ତ ସମୟରେ ସେ ଜାମ୍ମୁ କାଶ୍ମୀରରେ ସମ୍ପ୍ରତି ଆତଙ୍କବାଦୀ କାର୍ଯ୍ୟକଳାପ ତଥା ସୁରକ୍ଷା ବ୍ୟବସ୍ଥା ବିଷୟରେ ଅନୁଧ୍ୟାନ କରିବା ସହିତ ପଂଚାୟତ ପ୍ରତିନିଧି ତଥା ବିଭିନ୍ନ ଲୋକ ପ୍ରତିନିଧିଙ୍କୁ ଭେଟିବେ । ଏହି ସମୟରେ ସେ ଅକ୍ଟୋବର ୨୪ରେ ଜାମ୍ମୁରେ ଏକ ବଡ଼ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଗୃହମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କାଶ୍ମୀର ଉପତ୍ୟାକାର ଅନେକ ଅଂଚଳରେ ମୋବାଇଲ୍ ଇଂଟରନେଟ୍ ସେବାକୁ ବନ୍ଦ ରଖିବା ବ୍ୟତୀତ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପ୍ରତ୍ୟେକ ଯାତାୟତ କରୁଥିବା ଯାନ ଉପରେ ନଜର ରଖାଯାଉଛି ଏବଂ ଅବରୋଧ ଲଗାଇ ଯାନ ଯାଂଚ କରାଯାଉଛି ।
ଅଗଷ୍ଟ୫, ୨୦୧୯ରେ ଜାମ୍ମୁ କାଶ୍ମୀର ପୁନର୍ଗଠନ ଆଇନ ଲଙ୍କଜ୍ଞର ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜାମ୍ମୁ କାଶ୍ମୀରକୁ ଏହା ପ୍ରଥମ ଗସ୍ତ । ତାଙ୍କ ଗସ୍ତ ପୂର୍ବରୁ ଉପତ୍ୟକାରେ ଗତ ୨୦ ଦିନ ମଧ୍ୟରେ ପ୍ରାୟ ୧୧ ଜଣ ସାଧାରଣ ନାଗରିକ ହତ୍ୟା ଏବଂ ବିଭିନ୍ନ ଏନକାଉଂଟରରେ ୧୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀମାନେ ବାହାର ରାଜ୍ୟରୁ ସଂଖ୍ୟାଲଘୁ ଏବଂ ଶ୍ରମିକ ମାନଙ୍କୁ ହତ୍ୟା କରିବା ପରେ ଉପତ୍ୟକାରୁ ବାହର ରାଜ୍ୟରୁ ଶ୍ରମିକଙ୍କ ବିଦାୟ ମଧ୍ୟ ଆରମ୍ଭ ହୋଇଛି । ରବିବାର ଦିନ ଗୃହମନ୍ତ୍ରୀ ଅମିତ ଶାହା ଜାମ୍ମୁରେ ଏକ ବଡ଼ ସମାବେଶକୁ ସମ୍ବୋଧିତ କରିବା ପରେ ଦିଲ୍ଲୀ ଫେରିବା ପୂର୍ବରୁ ଅକ୍ଟୋବର ୨୫ରେ ପୁଣି ଥରେ ଶ୍ରୀନଗର ଗସ୍ତ କରିବେ । ସେ ଦଳର ନେତାଙ୍କ ଏକ ବୈଠକରେ ମଧ୍ୟ ଯୋଗ ଦେଇପାରନ୍ତି ।
