ପୁରୀରେ କାର୍ତ୍ତିକ ବ୍ରତ ପାଳନ ପାଇଁ ୨୯୩୫ ଜଣଙ୍କ ଆବେଦନ, ୫ଟି ଜାଗାରେ ରହିବେ ହବିଷ୍ୟାଳି
ପୁରୀ : ଦୁଇଦିନ ପରେ ଆରମ୍ଭ ହେବ ହବିଷ୍ୟାଳିଙ୍କ କାର୍ତ୍ତିକ ବ୍ରତ। ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କୁ ମାଗଣା କୋଠରୀ, ମହାପ୍ରସାଦ ସମେତ କାର୍ତ୍ତିକ ବ୍ରତ ପାଳନ ଲାଗି ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ୫ଟି ଜାଗା ସ୍ଥିର କରାଯାଇଛି। ଜାଗାଗୁଡ଼ିକ ହେଲା, ବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପ। ସେହିପରି ହବିଷ୍ୟାଳିମାନେ ଶ୍ରୀମନ୍ଦିରକୁ ଯାଇ ଯେପରି ସୁରକ୍ଷିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସେଥିଲାଗି ବ୍ୟବସ୍ଥା କରାଯାଇଛି। ଏହାଛଡା ହବିଷ କେନ୍ଦ୍ରରେ ରାଧାଦାମୋଦର ପୂଜା, ଚଉରା ପୂଜା, କାର୍ତ୍ତିକ ବ୍ରତ ପାଠ, ଆଧ୍ୟାତ୍ମିକ ପ୍ରବଚନ ଓ ଆକାଶ ଦୀପ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।
ଏହି ପରିପ୍ରେକ୍ଷୀରେ ସର୍କିଟ ହାଉସ୍ଠାରେ ହବିଷ୍ୟାଳି ଯୋଜନା କାର୍ଯ୍ୟକାରୀ କରିବା ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଓ ନୋଡାଲ ଅଧିକାରୀମାନଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମର୍ଥ ବର୍ମା କହିଥିଲେ, ହବିଷ୍ୟାଳିମାନେ ପ୍ରଭୁଙ୍କ ଶରଣରେ ରହି ଏକ ମାସ ଅତି ପବିତ୍ରତାର ସହ ରାଇଦାମୋଦର ବ୍ରତ ପାଳନ ପାଇଁ ଆସୁଛନ୍ତି। ସେମାନଙ୍କର ସେବା ଏକ ମହାନ କାର୍ଯ୍ୟ। ଏହାକୁ ନିଷ୍ଠାର ସହ ପାଳନ କରିବା ଦରକାର। ଯାହାକୁ ଯେଉଁ ଦାୟିତ୍ୱ ଦିଆଯାଉଛି, ଶୃଙ୍ଖଳିତ ନିର୍ବାହ କରିବା ଦରକାର। ଅତିରିକ୍ତ ଜିଲାପାଳ(ପ୍ରଶାସନ) ପ୍ରଦୀପ କୁମାର ସାହୁ କହିଥିଲେ, ଯେହେତୁ ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ହବିଷ୍ୟାଳି ଯୋଜନା କାର୍ଯ୍ୟକାରୀ ହେଉଛି ଓ ବୟସ୍କା ମା’ମାନେ ଏହି ବ୍ରତରେ ସାମିଲ ହେଉଛନ୍ତି, ପ୍ରଶାସନ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାକୁ ବ୍ୟବସ୍ଥା କରିଛି। ଏହାକୁ ସମ୍ମିଳିତ ଭାବେ ସଫଳ କରିବା ବୋଲି ଶ୍ରୀ ସାହୁ କହିଥିଲେ। ସରକାରୀ ହବିଷ କେନ୍ଦ୍ରରେ ରହି ପୁରୀରେ କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ଏ ପର୍ଯ୍ୟନ୍ତ ୨୯୩୫ ଜଣ ଶ୍ରଦ୍ଧାଳୁ ଆବେଦନ କରିଛନ୍ତି। ସର୍ବାଧିକ ୯୪୦ଟି ଦରଖାସ୍ତ ପୁରୀ ଜିଲ୍ଲାରୁ ମିଳିଛି। ଏବେବି ଆଗ୍ରହୀ ବ୍ୟକ୍ତିମାନେ ଦରଖାସ୍ତ କରୁଥିବାରୁ ହବିଷ୍ୟାଳିଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ବୈଠକରେ ଅତିରିକ୍ତ ଜିଲାପାଳ(ରାଜସ୍ବ) କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲାପାଳ(ପ୍ରୋଟୋକଲ) ଦିଲୀପ କୁମାର ମହାପାତ୍ର, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ମହାପାତ୍ର, ପିକେଡିଏ ସଚିବ ଲଲାଟେନ୍ଦୁ ସାହୁ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତା ମିଶ୍ର, ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, ଡେପୁଟି କଲେକ୍ଟର ରାକେଶ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
