ଆଠ ଦିନରେ କରୋନାର ମାମଲା ୬.୩ ଗୁଣ ବୃଦ୍ଧି
ନୂଆଦିଲ୍ଲୀ : ଦେଶରେ ଗତ ଆଠଦିନରେ କରୋନାର ମାମଲାରେ ୬.୩ଗୁଣ ବୃଦ୍ଧି ହୋଇଥିବା ନେଇ ସୂଚନା ମିଳିଛି । ବୁଧବାର କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ସାମ୍ବାଦ୍ଖଳ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ୨୯ ଡିସେମ୍ବର ଦିନ କରୋନାର ମାମଲାରେ ୦.୭୯ ଗୁଣ ବୃଦ୍ଧି ଦେଖାଯାଇଥିଲା କିନ୍ତୁ ୫ ଜାନୁଆରୀ ଦିନ ଏହି ବୃଦ୍ଧି ୬.୩ ଗୁଣ ହୋଇଯାଇଥିଲା ।
ଏହା ପ୍ରମାଣିତ ଯେ ଦେଶରେ କରୋନାର ମାମଲା ଏବେ କ୍ଷୀପ୍ର ଗତିରେ ବଢ଼ୁଛି ଏବଂ ଏହି ସଂଖ୍ୟା ଆଗକୁ ଆହୁରି କ୍ଷୀପ୍ର ଗତିରେ ବୃଦ୍ଧି ହେବ । ଏଥିପାଇଁ ଲୋକଙ୍କୁ ଗହଳି ଥିବା ସ୍ଥାନକୁ ନଯିବା ଉଚିତ୍ । ସେ କହିଛନ୍ତି ଯେ ଦେଶର ୨୮ ଜିଲ୍ଲାରେ ସାପ୍ତାହିକ ସଂକ୍ରମଣ ଦର ୧୦ ପ୍ରତିଶତରୁ ଅଧିକ ଅଟେ, ଯାହା ଚିନ୍ତାର ବିଷୟ । ଏହି ଜିଲ୍ଲା ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀ, କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ଝାରଖଣ୍ଡ ଏବଂ ଗୁଜୁରାଟର । ଲବ ଅଗ୍ରୱାଲ କହିଛନ୍ତି ଯେ ୪୩ ଜିଲ୍ଲାରେ ସାପ୍ତାହିକ କରୋନା ସଂକ୍ରମଣ ଦର ୫-୧୦ ପ୍ରତିଶତ ମଧ୍ୟରେ ଅଛି ।
