୫%ରୁ କମ୍ ସଂକ୍ରମଣ ଥିବା ଜିଲାମାନଙ୍କରେ କଟକଣା କୋହଳ କରାଯାଇପାରେ : ଡିଏମଇଟି
ଭୁବନେଶ୍ୱର : ମହାମାରୀ କରୋନା ସଂକ୍ରମଣ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାପାତ୍ର । ସେ କହିଛନ୍ତି କିଛି ଜିଲ୍ଲାରେ ସଂକ୍ରମଣ ବଢୁଛି ଅନ୍ୟ କିଛି ଜିଲ୍ଲାରେ କମୁଛି। ମହାମାରୀରେ ଏକା ସଙ୍ଗେ ସଂକ୍ରମଣ ଥମିବ ବୋଲି ଦେଖାଯାଇନାହିଁ । ୪ରୁ ୫ଟି ଜିଲ୍ଲାରେ ସଂକ୍ରମଣ ବଢୁଥିବା ହେତୁ ସେହି ଜିଲ୍ଲା ଉପରେ ଧ୍ୟାନ ଦିଆଯାଉଛି। ସାମଗ୍ରିକ ଭାବେ ଜିଲ୍ଲାରେ ସଂକ୍ରମଣ କମିବାରେ ଲାଗିଛି। ଉପକୂଳବର୍ତ୍ତୀ ଜିଲ୍ଲାରେ ବାହାର ଜିଲ୍ଲା ଲୋକଙ୍କ ଯିବା ଆସିବା ନିୟମିତ ହେଉଛି। ଫଳରେ ଏହିସବୁ ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି। ସଂକ୍ରମଣ ରୋକିବା ପାଇଁ ଲୋକଙ୍କୁ ବୁଝାସୁଝା କରାଯାଉଛି, ଅଧିକ ସଂକ୍ରମଣ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ କରାଯାଉଛି। ସଂକ୍ରମିତ ଲୋକଙ୍କୁ ସଂଗରୋଧ କରି ଚିକିତ୍ସା କରାଯାଉଛି ।
ଟ୍ରେଣ୍ଡକୁ ନଜରରେ ରଖି କେଉଁ ଜିଲ୍ଲାରେ ଲକଡାଉନ୍ ଉଠିବ କି ନାହିଁ ନିଷ୍ପତ୍ତି ନିଆଯିବ। ୫% କମ୍ ଥିବା ଜିଲ୍ଲାମାନଙ୍କରେ କଟକଣା କୋହଳ କରାଯାଇପାରେ। ଲୋକଙ୍କ ବ୍ୟବହାର, ଟିପିଆର, କେତେ ଲୋକ ସଂକ୍ରମିତ ହେଉଛନ୍ତି, ଲୋକେ କଟକଣା ମାନୁଛନ୍ତି ନା ନାହିଁ ସେ ସବୁକୁ ନଜରରେ ରଖି କଟକଣା କୋହଳ ହେବକି ନାହିଁ ନିଷ୍ପତ୍ତି ନିଆଯିବ । ଦେବଗଡ ଯାଇଥିବା ଟିମ୍ ଆସିବା ପରେ ଡେଲଟା ପ୍ଲସ୍ ଚିହ୍ନଟ ବ୍ୟକ୍ତିଙ୍କ ବାବଦରେ ସ୍ପଷ୍ଟ ଚିତ୍ର ଜଣାପଡିବ। ଗତ ଅପ୍ରେଲରେ ସେ ସଂକ୍ରମିତ ହୋଇ ସୁସ୍ଥ ହୋଇସାରିଛନ୍ତି । ଏଥିପାଇଁ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଦେହରେ ଡେଲଟା ପ୍ଲସ୍ ସଂକ୍ରମଣ ଅଛି ନା ନାହିଁ ତାହାର ତଦନ୍ତ କରାଯାଉଛି। ଦେବଗଡରେ ଟିପିଆର କମ୍ ଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କମ୍ ରହିଛି । ଏଥିପାଇଁ ବ୍ୟକ୍ତି ଜଣଙ୍କ କାହାରିକୁ ସଂକ୍ରମିତ କରିଥିବେ ତାହା କହିହେଉ ନାହିଁ।
