ବିପର୍ଯ୍ୟୟ ମୁକାବିଲାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୨୯.୩୬ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ୱର : ରାଜ୍ୟରେ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୨୯ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୯୮ କୋଟି ଟଙ୍କା ବ୍ୟୟରେ ଅଧିକ ୫୫ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଉଛି ।
ଚଳିତ ଏପ୍ରିଲ ମାସରେ ପ୍ରଥମ ପର୍ଯ୍ୟାୟରେ ୨୯ କୋଟି ୩୬ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିଲେ । ବାତ୍ୟା ଓ ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ଆଶ୍ରୟସ୍ଥଳୀ ଗୁଡିକ ଲୋକଙ୍କୁ ସୁରକ୍ଷା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତୃପକ୍ଷଙ୍କ ଜରିଆରେ ଏହା ନିର୍ମାଣ କରାଯାଉଛି । ଏହା ମଧ୍ୟରେ ପ୍ରଥମ ପର୍ଯ୍ୟାୟ କାମରେ ଯଥେଷ୍ଟ ଅଗ୍ରଗତି ହୋଇଛି । ତେଣୁ ବର୍ତମାନ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଆଉ ୨୯କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହା ସହିତ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ମୁକାବିଲାକୁ ଏବେ ସର୍ବାଦୌ ଗୁରୁତ୍ୱ ଦେଉଛନ୍ତି । ନିୟମିତ ବ୍ୟବଧାନରେ ଏ ନେଇ ସମୀକ୍ଷା କରୁଛନ୍ତି । ବାତ୍ୟା ପ୍ରଭାବିତ ଅଂଚଳକୁ କିଭଳି ନିରାପଦ ଭାବେ ରଖାଯାଇପାରିବ, କ୍ଷୟକ୍ଷତି କମ୍ ହେବ ସେ ନେଇ ବି ବଡ଼ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର । ଓଡ଼ିଶା ଉପକୂଳକୁ ତିନି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମେ ସମୁଦ୍ରକୂଳ ଠାରୁ ଅର୍ଥାତ୍ ଶୂନରୁ ଷାଠିଏ କିଲୋମିଟର ଅଂଚଳକୁ ଅତି ସମ୍ବେଦନଶୀଳ ବୋଲି ବିଚାର କରାଯାଉଛି । ଏଠାରେ ସବୁଠାରୁ ଅଧିକ ପ୍ରସ୍ତୁତି କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ୬୦ରୁ ୧୦୦ କିଲୋମିଟର ଏବଂ ତୃତୀୟ ପର୍ଯ୍ୟାୟରେ ୧୦୦ରୁ ୧୫୦ କିଲୋମିଟର ପର୍ଯ୍ୟନ୍ତ ଅଂଚଳ ଲାଗି ପ୍ରସ୍ତୁତି ହେବ । ଯଦିଓ ଏବେ ଦେଖାଯାଉଛି ଯେ ବାତ୍ୟା ପରବର୍ତୀ ବର୍ଷା ମଧ୍ୟ ଅଧିକ କ୍ଷତି କରୁଛି; ତଥାପି ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତି କରିଛନ୍ତି ।
