ପରଲୋକରେ ଆଇଏଲଏସ ନିର୍ଦ୍ଦେଶକ ଡା. ଅଜୟ ପରିଡ଼ା
ଭୁବନେଶ୍ୱର : ପରଲୋକରେ ଭୁବନେଶ୍ବର ସ୍ଥିତ ଆଇଏଲଏସ ନିର୍ଦ୍ଦେଶକ ଡା. ଅଜୟ ପରିଡ଼ା। ସୋମବାର ରାତିରେ ଗୌହାଟୀରେ ତାଙ୍କର ଦେହାନ୍ତ ହୋଇଛି। ହୃଦଘାତରେ ଆଇଏଲଏସ ନିର୍ଦ୍ଦେଶକଙ୍କ ବିୟୋଗ ହୋଇଥିବା କୁହାଯାଉଛି। ଏକ ସରକାରୀ କନଫରେନ୍ସରେ ଯୋଗ ଦେବାକୁ ଡା. ଅଜୟ ପରିଡ଼ା ଗୌହାଟୀ ଯାଇଥିଲେ। ତେବେ କନଫରେନ୍ସ ପୂର୍ବରୁ ତାଙ୍କୁ ହୃଦଘାତ ହୋଇଥିଲା। ଆଉ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କୋରୋନା ଯେତେବେଳେ ବ୍ୟାପୁଥିଲା ସେତେବେଳେ ଅଜୟ ପରିଡାଙ୍କୁ ପୂରା ରାଜ୍ୟ ଅପେକ୍ଷା କରି ରହୁଥିଲା। ମହାମାରୀ ବାବଦରେ ଟିକିନିକି ତଥ୍ୟ ଦେବା ସହ ସେ କୋରୋନାର ବିଭିନ୍ନ ପ୍ରକାର ଭାରିଆଣ୍ଟର ତଥ୍ୟ ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଉଥିଲେ। ନିଜ କାର୍ଯ୍ୟକ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୨୦୧୪ ମସିହାରେ ଡା. ଅଜୟ ପରିଡା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ଅଜୟ କୁମାର ପରିଡ଼ା ୧୨ ଡିସେମ୍ବର ୧୯୬୩ ମସିହାରେ ଯାଜପୁରର ଭଗବାନପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ବିଶିଷ୍ଟ ଜୀବବିଜ୍ଞାନୀ। କୃଷି, ପ୍ଲାଣ୍ଟ ମଲିକ୍ୟୁଲାର ବାୟୋଲୋଜି ଓ ବାୟୋଟେକ୍ନୋଲୋଜି ବିଷୟମାନଙ୍କରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ସେ ଚେନାଇର ଏମ. ଏସ. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନର ଏକ୍ଜିକ୍ୟୁଟିଭ ନିର୍ଦ୍ଦେଶକ ଥିଲେ। ସ୍ଥାନୀୟ ଜଳବାୟୁ ପରିବର୍ତ୍ତନକୁ ଖାପ ଖୁଆଇ କେତେକ କୃଷି କାମରେ ପରିବର୍ତ୍ତନ ଆଣିବାକୁ ସେ ଗବେଷଣା କରି ସଫଳ ହୋଇଛନ୍ତି।
ଡାକ୍ତର ଅଜୟଙ୍କୁ ଭାରତୀୟ ବିଜ୍ଞାନ କଂଗ୍ରେସ ଆସୋସିଏସନ ପକ୍ଷରୁ ଉମାକାନ୍ତ ମେମୋରିଆଲ ପୁରସ୍କାର ଦିଆଯାଇଛି। ଜାତୀୟ ବାୟୋସାଇନ୍ସ ପୁରସ୍କର ସହିତ ଭାରତ ସରକାର ସମ୍ମାନୀତ କରିଛନ୍ତି। ୨୦୧୨ରେ ସେ ଜାତୀୟ ବିଜ୍ଞାନ ଏକାଡେମିର କୃଷି ବିଜ୍ଞାନ ଓ ଜଙ୍ଗଲ ବିଭାଗର ପ୍ରେସିଡେଣ୍ଟ ଭାବରେ ନିର୍ବାଚିତ ହୋଇଥିଲେ। ଆଉ ୨୦୧୪ରେ ଡାକ୍ତର ଅଜୟ ଜାତୀୟ ବିଜ୍ଞାନ ଏକାଡେମିର ବାୟୋଲୋଜିକାଲ ବିଜ୍ଞାନ ବିଭାଗର ପ୍ରେସିଡେଣ୍ଟ ଭାବରେ ନିର୍ବାଚିତ ହୋଇଥିଲେ।
