ଏଣିକି ଘର ନିର୍ମାଣ କଲେ ୧୦% ସ୍ଥାନରେ ଗଛ ଲଗାଇବା ହେବ ଜରୁରୀ
ନୂଆଦିଲ୍ଲୀ: ପ୍ରତି ୮୦ ବର୍ଗ ମିଟର ଭୂମିରେ ଅତି କମରେ ଗୋଟିଏ ଗଛ ଲଗାଇବା ନେଇ ପ୍ରସ୍ତାବ ଦେଇଛି ପରିବେଶ ମନ୍ତ୍ରଣାଳୟ । ସହରୀ ଏବଂ ବାଣିଜ୍ୟିକ ନିର୍ମାଣସ୍ଥଳୀରେ ଭୂମିର ୧୦ ପ୍ରତିଶତ ସ୍ଥାନରେ ଗଛ ଲାଗିବା ଆବଶ୍ୟକ । ମନ୍ତ୍ରଣାଳୟ ଫେବ୍ରୁଆରୀ ୨୮ରେ ଏ ସମ୍ୱନ୍ଧୀୟ ଏକ ପ୍ରସ୍ତାବ ଉପରେ ୬୦ ଦିନ ଭିତରେ ଲୋକଙ୍କ ପରାମର୍ଶ ଏବଂ ଅଭିଯୋଗ ଜଣାଇବାକୁ କହିଛି ।
ବିଜ୍ଞପ୍ତି ଅନୁସାରେ, ପ୍ରତ୍ୟେକ ୮୦ ବର୍ଗମିଟର ଜମିରେ ଅତି କମରେ ଗୋଟିଏ ଗଛ ଲାଗିବା ଦରକାର ଏବଂ ଏହାର ସୁରକ୍ଷା ମଧ୍ୟ ଜରୁରୀ । ଯାହାଦ୍ୱାରା ଭୂମିର ୧୦ ପ୍ରତିଶତ ସୁରକ୍ଷିତ ରହିପାରିବ । ବର୍ତ୍ତମାନ ସମୟରେ ଗଛ ଗଣନା ଏହି ଲକ୍ଷ୍ୟକୁ ନେଇ କରାଯିବ । ଏଥିରେ କୁହାଯାଇଛି, ବିଲ୍ଡିଂ, ରାସ୍ତା ଏବଂ ବାହାର ନିର୍ମାଣ ପାଇଁ ପ୍ରସ୍ତାବିତ ଭୂମିର ଉପର ମାଟିକୁ ସର୍ବାଧିକ ୨୦ ସେମି ଯାଏଁ ହଟାଯିବା ଦରକାର । ମନ୍ତ୍ରଣାଳୟ କହିଛି, ନିର୍ମାଣ ପର୍ୟ୍ୟାୟରେ କେନ୍ଦ୍ରୀ ଭୂତଳ ଜଳ ପ୍ରାଧିକରଣର ବିନା ଅନୁମତିରେ ଆଦ୍ରଭୂମି ଏବଂ ଭୂଜଳ ଥିବା ସ୍ଥାନରେ କୌଣସି ନିର୍ମାଣ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ । ବିଜ୍ଞପ୍ତିରେ କୁହାଯାଇଛି, ବର୍ଷା ଜଳ ସଂରକ୍ଷଣ ଯୋଜନାକୁ ନଜରରେ ରଖି ଛାତର ଡିଜାଇନ କରାଯିବା ଦରକାର, ଯାହା ଦ୍ୱାରା ଭୂତଳ ଜଳ ପ୍ରଦୂଷଣକୁ ରୋକାଯାଇପାରିବ।
