ଆଇସିସି ଟି-୨୦ ରାଙ୍କିଙ୍ଗ : ଟପ୍-୧୦ରୁ ଖସିଲେ ବିରାଟ, ଆୟରଙ୍କୁ ବିପୁଳ ଫାଇଦା
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଆଇସିସି ଟି-୨୦ ରାଙ୍କିଙ୍ଗରେ ବଡ଼ କ୍ଷତି ହୋଇଛି । ସେହିପରି ଜବରଦସ୍ତ ଫର୍ମରେ ଥିବା ଶ୍ରେୟସ ଆୟର ରାଙ୍କିଙ୍ଗରେ ବିପୁଳ ଫାଇଦା ହୋଇଛି । ସଦ୍ୟ ଘୋଷିତ ଆଇସିସି ଟି-୨୦ ରାଙ୍କିଙ୍ଗରେ କୋହଲି ଟପ୍-୧୦ରୁ ଆଉଟ୍ ହୋଇଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପରେ ଦଶମ ସ୍ଥାନରେ ରହିଥିବା କୋହଲିଙ୍କୁ ଶ୍ରୀଲଙ୍କା ସିରିଜ୍ ପାଇଁ ବିଶ୍ରାମ ଦିଆଯାଇଥିଲା । ଏହି କାରଣରୁ ସେ ୫ଟି ସ୍ଥାନ ସହ ୧୫ଶ ସ୍ଥାନକୁ ଖସି ଆସିଛନ୍ତି । ଅନ୍ୟପକ୍ଷରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଧମାକେଦାର ପ୍ରଦର୍ଶନ କରିଥିବା ଆୟର୍ ଏକାଥରକେ ୨୭ଟି ସ୍ଥାନ ଉପରକୁ ଉଠିଛନ୍ତି । ସେ ଏବେ ଅଷ୍ଟାଦଶ ସ୍ଥାନରେ ରହିଛନ୍ତି । ଆୟର୍ ଏହି ସିରିଜରେ ତିନୋଟି ଅର୍ଦ୍ଧଶତକ ସହ ୨୦୪ ରନ୍ କରି ପ୍ଲେୟର୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ ।
ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମାଙ୍କୁ ମଧ୍ୟ ଖରାପ ଫର୍ମର ପରିଣାମ ଭୋଗିବାକୁ ପଡ଼ିଛି । ୱେଷ୍ଟଇଣ୍ଡିଜ୍ ଓ ଶ୍ରୀଲଙ୍କା ବିପକ୍ଷ ସିରିଜରେ ନିରାଶ କରିଥିବା ରୋହିତ୍ ଦୁଇଟି ସ୍ଥାନ ଖସି ୧୩ଶରେ ରହିଛନ୍ତି । ସେ ଶ୍ରୀଲଙ୍କା ବିପକ୍ଷରେ ତିନୋଟି ମ୍ୟାଚରେ ୫୦ ରନ୍ କରିଥିଲେ । ଆହତ କାରଣରୁ ଶ୍ରୀଲଙ୍କା ସିରିଜରୁ ବାଦ୍ ପଡ଼ିଥିବା ରାହୁଲ୍ ଏକମାତ୍ର ଭାରତୀୟ ବ୍ୟାଟର୍ ଭାବେ ଟପ୍-୧୦ରେ ରହିଛନ୍ତି । ପାକିସ୍ତାନ କ୍ୟାପଟେନ୍ ବାବର ଆଜମ ଓ ୱିକେଟ୍ କିପର ମହମ୍ମଦ ରିଜୱାନ୍ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ବୋଲରଙ୍କ ରାଙ୍କିଙ୍ଗରେ ଭୁବନେଶ୍ୱର କୁମାର ତିନୋଟି ସ୍ଥାନ ଉଠି ୧୭ଶ ସ୍ଥାନରେ ପହଂଚିଛନ୍ତି । ସେ ଏକମାତ୍ର ଭାରତୀୟ ବୋଲର ଭାବେ ଆଇସିସି ଟି-୨୦ ରାଙ୍କିଙ୍ଗର ଟପ୍-୨୦ରେ ରହିଛନ୍ତି । ଯଶପ୍ରୀତ ବୁମ୍ରା ୩ଟି ସ୍ଥାନ ଖସି ୨୮ତମ ସ୍ଥାନରେ ରହିଛନ୍ତି । ବୋଲିଂରେ ଦକ୍ଷିଣ ଆଫ୍ରିକାର ତବରେଜ ଶାମସୀ ପ୍ରଥମ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆର ଜୋଶ୍ ହେଜଲଉଡ୍ ଦ୍ୱିତୀୟ ଏବଂ ଇଂଲଣ୍ଡର ଆଦିଲ୍ ରାଶିଦ୍ ତୃତୀୟ ସ୍ଥାନରେ ରହିଛନ୍ତି । ଅଲରାଉଣ୍ଡରଙ୍କ ମଧ୍ୟରେ ଆଫଗାନିସ୍ତାନର ମହମ୍ମଦ ନବି ଶୀର୍ଷ ସ୍ଥାନରେ ଅଛନ୍ତି ।
