ଆଇସିସି ରାଙ୍କିଙ୍ଗ : ଉଠିଲେ ରୁଟ୍ ଓ ବାବର, ଜାଣନ୍ତୁ ଶୀର୍ଷ ୧୦ରେ କେଉଁ ଭାରତୀୟ ଖେଳାଳି ଅଛନ୍ତି
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି । ଏଥିରେ ଇଂଲଣ୍ଡ ଦଳର ପୂର୍ବତନ ଅଧିନାୟକ ଜୋ ରୁଟ ଏବଂ ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜମଙ୍କ ମାନ୍ୟତାରେ ଉନ୍ନତି ଘଟିଛି । ସେହିପରି ବ୍ୟାଟିଂ ମାନ୍ୟତାର ଶୀର୍ଷ ୧୦ରେ ଦୁଇ ଜଣ ଭାରତୀୟ ଖେଳାଳି ରହିଛନ୍ତି । ରୋହିତ ଶର୍ମା ଏବଂ ବିରାଟ କୋହଲି ପୂର୍ବବତ କ୍ରମଶଃ ୮ମ ଏବଂ ୧୦ମ ସ୍ଥାନରେ ରହିଛନ୍ତି । ଅଦ୍ୟପକ୍ଷରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ବୋଲିଂ ମାନ୍ୟତାରେ ହ୍ରାସ ଘଟିଛି ।
ଇଂଲଣ୍ଡର ଜୋ ରୁଟ୍ ଦୁଇଟି ସ୍ଥାନ ଉପରକୁ ଉଠି ଦ୍ୱିତୀୟରେ ପହଂଚିଛନ୍ତି । ବାବର ଆଜମ ଗୋଟିଏ ସ୍ଥାନ ଉନ୍ନତି ଘଟାଇ ଚତୁର୍ଥ ସ୍ଥାନକୁ ଉଠିଛନ୍ତି । ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ ଦୁଇଟି ସ୍ଥାନ ତଳକୁ ଖସି ପଂଚମରେ ପହଂଚିଛନ୍ତି । ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ମାର୍ନସ ଲାବୁସେନ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଲାବୁସେନଙ୍କ ପଏଂଟ ୮୯୨ ରହିଥିବା ବେଳେ ଦ୍ୱିତୀୟରେ ଥିବା ରୁଟଙ୍କ ପଏଂଟ ହେଉଛି ୮୮୨ । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଗୋଟିଏ ସ୍ଥାନ ତଳକୁ ଖସି ତୃତୀୟରେ ରହିଛନ୍ତି । ବୋଲିଂ ମାନ୍ୟତାର ଶୀର୍ଷ ୧୦ରେ ଦୁଇ ଜଣ ଭାରତୀୟ ବୋଲର ଅଛନ୍ତି । ଏଥିରେ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୮୫୦ ପଏଂଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଦ୍ରୁତ ବୋଲର ଯଶପ୍ରୀତ ବୁମରା ଗୋଟିଏ ସ୍ଥାନ ଅବନ୍ନତି ଘଟି ଚତୁର୍ଥକୁ ଖସି ଆସିଛନ୍ତି । ନ୍ୟୁଜିଲାଣ୍ଡ କାଇଲ ଜେମିସନ ଦୁଇଟି ସ୍ଥାନ ଉନ୍ନତି ଘଟାଇ ତୃତୀୟରେ ପହଂଚିଛନ୍ତି । ଅଷ୍ଟ୍ରେଲିଆର ଅଧିନାୟକ ପାଟ୍ କମିନ୍ସ ୯୦୧ ପଏଂଟ ସହ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।
