ଆଇସିସି ଦିନିକିଆ ରାଙ୍କିଙ୍ଗ : ଭାରତକୁ ପଛରେ ୪ର୍ଥ ସ୍ଥାନକୁ ଉଠିଲା ପାକିସ୍ତାନ
ଦୁବାଇ: ଆଇସିସି ଦିନିକିଆ ରାଙ୍କିଙ୍ଗରେ ଭାରତକୁ ବଡ଼ ଝଟକା ଲାଗିଛି । ଭାରତକୁ ଦିନିକିଆ ରାଙ୍କିଙ୍ଗରେ ପଛରେ ପକାଇ ଦେଇଛି ପାକିସ୍ତାନ । ଘରୋଇ ମାଟିରେ ପାକିସ୍ତାନ ପ୍ରତିପକ୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜକୁ ୩-୦ରେ କ୍ଲିନ ସୁଇପ କରିଛି । ଏହି ସିରିଜ୍ ବିଜୟ ପରେ ଦଳକୁ ରାଙ୍କିଙ୍ଗରେ ଫାଇଦା ମିଳିଛି । ଏବେ ପାକିସ୍ତାନ ଆଇସିସିର ଦିନିକିଆ ରାଙ୍କିଙ୍ଗର ୪ର୍ଥ ସ୍ଥାନରେ ପହଂଚି ଯାଇଛି । ଫଳରେ ଭାରତକୁ ୫ମ ସ୍ଥାନକୁ ଖସିବାକୁ ପଡ଼ିଛି । ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ୧୦୨ ପଏଂଟ ସହ ରାଙ୍କିଙ୍ଗର ୫ମ ସ୍ଥାନରେ ରହିଥିଲା । ଏବେ ଦଳ ପାଖରେ ୧୦୬ ପଏଂଟ ଥିବା ବେଳେ ଭାରତର ପଏଂଟ ସଂଖ୍ୟା ୧୦୫ ରହିଛି ।
ବିଗତ କିଛି ବର୍ଷ ହେଲାଣି ପାକିସ୍ତାନ ଦିନିକିଆ କ୍ରିକେଟରେ ଭଲ ପ୍ରଦର୍ଶନ କରି ଆସୁଛି । ୧୯୯୮ ପରେ ଅଷ୍ଟ୍ରେଲିଆ ଟିମ୍ ପାକିସ୍ତାନରେ ଖେଳିବାକୁ ଯାଇଥିଲା । ହେଲେ ଦଳକୁ ଦିନିକିଆ ସିରିଜ ହାରିବାକୁ ପଡ଼ିଥିଲା । ସେହିପରି ଜିମ୍ବାୱେ ଓ ଦକ୍ଷିଣ ଆଫ୍ରିକାକୁ ମଧ୍ୟ ପାକିସ୍ତାନ ଘରୋଇ ମାଟିରେ ହରାଇଥିଲା । ଏବେ ୱେଷ୍ଟଇଣ୍ଡିଜ ମଧ୍ୟ ସମାନ ଦଶା ଭୋଗିଛି । ଅନ୍ୟପକ୍ଷରେ ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡ ଥିବା ବେଳେ ୨ନଂରେ ଇଂଲଣ୍ଡ ଓ ୩ନଂରେ ଅଷ୍ଟ୍ରେଲିଆ ରହିଛି । ସେହିପରି ୬ନଂରେ ଦକ୍ଷିଣ ଆଫ୍ରିକା, ୭ନଂରେ ବାଂଲାଦେଶ, ୮ନଂରେ ଶ୍ରୀଲଙ୍କା, ୯ନଂରେ ୱେଷ୍ଟଇଣ୍ଡିଜ ଓ ୧୦ନଂରେ ଆଫଗାନିସ୍ତାନ ରହିଛି ।
