ଆଇସିସି ଦିନିକିଆ ମାନ୍ୟତା : ମିତାଲି ନଂ. ୧
ନୂଆଦିଲ୍ଲୀ : ଆଇସିସି ଦିନିକିଆ ମାନ୍ୟତା ପ୍ରକାଶ। ଭାରତୀୟ ମହିଳା ଦିନିକିଆ କ୍ରିକେଟ୍ ଦଳର ଅଧିନାୟକ ମିତାଲି ରାଜ୍ ୨୨ ବର୍ଷର କ୍ରିକେଟ୍ କ୍ୟାରିୟର୍ରେ ଅଷ୍ଟମ ଥର ପାଇଁ ଦିନିକିଆରେ ୧ ନମ୍ୱର ସ୍ଥାନରେ ରହିଛନ୍ତି । ମିତାଲି ଇଂଲଣ୍ଡ ବିପକ୍ଷରେ ଖେଳା ଯାଇଥିବା ଦିନିକିଆ ସିରିଜ୍ର ତିନଟି ଯାକ ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଯାହା ଫଳରେ ସେ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ କାଉନ୍ସିଲ୍ ଜାରି କରିଥିବା ତାଜା ମାନ୍ୟତା ଲିଷ୍ଟ୍ ରେ ପୁଣିଥରେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି । ମହିଳା କ୍ରିକେଟ୍ର ତିନି ଫର୍ମାଟରେ ସବୁଠାରୁ ଅଧିକ ରନ୍ କରିଥିବା ମିତାଲି ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ରେ ୧୦୩ ହାରରେ ୨୦୬ ରନ୍ କରିଥିଲେ ଏବଂ ସିରିଜ୍ରେ ସର୍ବାଧିକ ରନ୍ କରିଥିବା ଖେଳାଳୀଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଥିଲେ । ଏହି ପ୍ରଦର୍ଶନ ଫଳରେ ୱାନ୍ଡେ ବ୍ୟାଟ୍ସ୍ମ୍ୟାନ୍ ରାକିଙ୍ଗ୍ ରେ ଚତୁର୍ଥ ସ୍ଥାନରୁ ସେ ଟପ୍ରେ ପହଞ୍ଚିଯାଇଛନ୍ତି । ମିତାଲି ଯେତେବେଳେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଖେଳିବା ଆରମ୍ଭ କରିଥିଲେ ସେତେବେଳେ ସେ ଅଷ୍ଟମ ସ୍ଥାନରେ ଥିଲେ । କିନ୍ତୁ ସିରିଜ୍ରେ ଭଲ ପ୍ରଦର୍ଶନ ତାଙ୍କୁ ପୁଣିଥରେ ନମ୍ୱର୍ ୱାନ୍ କରିଦେଇଛି ।
ମିତାଲି ନିଜର କ୍ରିକେଟ୍ କ୍ୟାରିୟର୍ରେ ପ୍ରଥମ ଥର ପାଇଁ ୨୦୦୫ ମସିହାରେ ଆଇସିସି ୱାନ୍ଡେ ମାନ୍ୟତାରେ ନମ୍ୱର ୧ ସ୍ଥାନରେ ରହିଥିଲେ । ସେ ଆଇସିସି ମହିଳା ବିଶ୍ୱକପ୍ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅପରାଜିତ ୯୧ ରନ୍ର ପାଳି ଖେଳିଥିଲେ। ମିତାଲିଙ୍କ ବ୍ୟତୀତ ସ୍ମୃତି ମନ୍ଧାନା ଟପ୍-୧୦ରେ ଥିବା ଏକମାତ୍ର ବ୍ୟାଟ୍ସମ୍ୟାନ୍ । ସେ ଗୋଟିଏ ସ୍ଥାନ ତଳକୁ ଖସି ଏବେ ସପ୍ତମ ସ୍ଥାନରେ ଅଛନ୍ତି । ମିତାଲିଙ୍କ ବ୍ୟତୀତ ଶେଫାଲୀ ବର୍ମା ୪୯ତମ ସ୍ଥାନରୁ ୭୧ ତମ ସ୍ଥାନରେ ପହଞ୍ଚିଛନ୍ତି ଏବଂ ଭେଟେରାନ ପେସର ଝୁଲଣ ଗୋସ୍ୱାମୀ ଚାରିଟି ସ୍ଥାନକୁ ଉନ୍ନିତ ହୋଇ ୫୩ ତମ ସ୍ଥାନରେ ରହିଛନ୍ତି। ବୋଲରଙ୍କ ତାଲିକାରେ ଅଲରାଉଣ୍ଡର ଦୀପ୍ତି ଶର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ୱାଦଶ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।
