ରାହୁଲଙ୍କ ପାଇଁ ମୋର ବଙ୍ଗଳା ଖାଲି କରିଦେବି : ଖଡ଼ଗେ
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ତାଙ୍କୁ ଏକ ମାସ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବାକୁ ଲୋକ ସଭାର ଗୃହ କମିଟି ନୋଟିସ ଜାରି କରିଛି। ଏହାକୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ବଙ୍ଗଳା ଖାଲି କରିବାକୁ ନୋଟିସ ପାଇବା ପରେ ଯଦି ସେ ଚାହାଁନ୍ତି, ତେବେ ସେ ମୋ ଘରକୁ ଆସିପାରନ୍ତି, ମୁଁ ତାଙ୍କ ପାଇଁ ମୋର ବଙ୍ଗଳା ଖାଲି କରିଦେବି।
ରାହୁଲ ଗାନ୍ଧୀଙ୍କୁ ଦୁର୍ବଳ କରିବା ପାଇଁ ସେମାନେ ସମସ୍ତ ପ୍ରକାର ଉଦ୍ୟମ କରିବେ। କିନ୍ତୁ ଯଦି ସେ ବଙ୍ଗଳା ଖାଲି କରନ୍ତି, ତେବେ ସେ ତାଙ୍କ ମାଆଙ୍କ ପାଖରେ ରହିବେ କିମ୍ବା ମୋ ସହିତ ରହିବାକୁ ସେ ଆସିପାରନ୍ତି। ସେ ଖାଲି କୁହନ୍ତୁ ମୁଁ ତାଙ୍କ ପାଇଁ ଏକ ବଙ୍ଗଳା ଖାଲି କରିଦେବି। ସେହିପରି ମୁଁ ସେମାନଙ୍କୁ ଭୟଭୀତ କରିବା, ଧମକ ଦେବା ଏବଂ ଅପମାନିତ କରିବା ପାଇଁ ସରକାରଙ୍କ ମନୋଭାବକୁ ନିନ୍ଦା କରୁଛି। ଏହି ପଦ୍ଧତି ଭଲ ନୁହେଁ । ସେ କହିଛନ୍ତି, ବେଳେବେଳେ ଆମେ ୩-୪ ମାସ ପର୍ଯ୍ୟନ୍ତ ବଙ୍ଗଳା ବିନା ବାସ କରୁ । ମତେ ମଧ୍ୟ ମୋର ଏହି ବଙ୍ଗଳା ୬ ମାସ ପରେ ମିଳିଲା । ଏହି ଲୋକମାନେ (ବିଜେପି ସରକାର ) ଅନ୍ୟମାନଙ୍କୁ ଅପମାନିତ କରିବା ପାଇଁ ଏହା କରନ୍ତି ଏବଂ ମୁଁ ସେମାନଙ୍କ ଏଭଳି ମନୋଭାବକୁ ଦୃଢ ଭାବେ ନିନ୍ଦା କରୁଛି ।
ସୂଚନା ଯେ, ଗତ ସପ୍ତାହରେ ରାହୁଲ ଗାନ୍ଧୀଙ୍କ ଲୋକସଭାରୁ ଅଯୋଗ୍ୟତା ପରେ ଗୃହ କମିଟି ଏ ବାବଦରେ ନିଷ୍ପତ୍ତି ନେଇଥିଲା, ଯାହା ପରେ ଲୋୟର ହାଉସ ସଚିବାଳୟ କଂଗ୍ରେସ ନେତାଙ୍କୁ ଏକ ଚିଠି ପଠାଇ ୧୨ ଟୁଗଲକ ଲେନରେ ସରକାରୀ ବଙ୍ଗଳା ଖାଲି କରିବାକୁ କହିଥିଲେ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଜଣେ ଅଯୋଗ୍ୟ ସଦସ୍ୟଙ୍କୁ ସଦସ୍ୟତା ହରାଇବାର ଏକ ମାସ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିଥାଏ । ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏହି ଅବଧି ବୃଦ୍ଧି କରିବାକୁ ଗୃହ କମିଟିକୁ ଅନୁରୋଧ ମଧ୍ୟ କରିପାରିବେ।
