ସ୍ତ୍ରୀକୁ ବିଷ ପିଆଇ ମାରିଦେଲା ସ୍ୱାମୀ!
ବାରିପଦା : ମୟୁରଭଞ୍ଜ ଜିଲା କପ୍ତିପଦା ଥାନା ଢୋଲଗଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ୱାମୀ ସାଜିଲା ସଇତାନ । ସ୍ତ୍ରୀକୁ ବିଷ ପିଆଇ ମାରି ଦେଲା ସ୍ୱାମୀ । ଏଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ମୃତ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଯେ, କପ୍ତିପଦା ଥାନା ଢୋଲଗଣ୍ଡି ଗ୍ରାମର ବାଙ୍କା ସୁଣ୍ଡି ତାଙ୍କ ସ୍ତ୍ରୀ ବାଲିମା ସୁଣ୍ଡିଙ୍କୁ ବିଷ ପିଆଇ ହତ୍ୟା କରିଥିବାର ଆସିଛି ଅଭିଯୋଗ। ଏଭଳି ଅଭିଯୋଗ ଆଣିଛନ୍ତି ବାଲିମାଙ୍କ ବାପା। ଶନିବାର ବାଙ୍କା ବଜାରରୁ ଫେରିବା ପରେ ସ୍ତ୍ରୀ ଘର ଭିତରେ ଶୋଇଥିଲେ। ତେବେ ସେ କିଛି ବିଷାକ୍ତ ଜିନିଷ ଖାଇ ଦେଇ ଗୁରୁତର ହୋଇଥିବା ଦେଖି ବାଙ୍କା ତାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ଉଦଳା ଏବଂ ପରେ ବାରିପଦା ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନେଇଥିଲେ। ହେଲେ ବାରିପଦାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ମୃତ ବାଲିମାଙ୍କ ବାପା ଭଞ୍ଜ ପୂର୍ତି ତାଙ୍କ ଝିଅକୁ ଜ୍ୱାଇଁ ବିଷ ପିଆଇ ମାରି ଦେଇଥିବା କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ସ୍ୱାମୀ କିନ୍ତୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ବାଲିମାଙ୍କ ବାପାଙ୍କ କହିବାନୁସାରେ ଅନେକ ସମୟରେ ଝିଅ ଏବଂ ଜ୍ୱାଇଁ ମଧ୍ୟରେ କଳହ ହୋଇଥାଏ। ଏଣୁ ଜ୍ୱାଇଁ ବାଙ୍କା ଝିଅକୁ ବିଷ ପିଆଇ ମାରି ଦେଇଥିବା ସେ କହିଛନ୍ତି।
