ଘୁର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି : ୪ ଜିଲାରେ ଅତି ପ୍ରବଳ ବର୍ଷା!
ଭୁବନେଶ୍ୱର : ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକାରେ ଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ-ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏଥିଯୋଗୁଁ ସାରା ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହାର ପ୍ରଭାବରେ ଉତର ଓ ଦକ୍ଷିଣ ଓଡିଶାର ବିଭିନ୍ନସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଆଗାମୀ ୨୪ ଘଂଟା ମଧ୍ୟରେ ରାଜ୍ୟର ୪ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୧୦ଟି ଜିଲାରେ ପ୍ରବଳ ବର୍ଷା ହୋଇପାରେ । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଢ଼େଙ୍କାନାଳ ଆଦି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିସହିତ ଭଦ୍ରକ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଝାରସୁଗୁଡ଼ା ଆଦି ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉକ୍ତ ଜିଲ୍ଲାଗୁଡ଼ିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ବ୍ୟତୀତ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼ ଓ ବୌଦ୍ଧ ଆଦି ଜିଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୨ରୁ ୨୩ ତାରିଖ ମଧ୍ୟରେ ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର, ଅନୁଗୁଳ, ବରଗଡ, ନୂଆପଡା. ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର , ଦେବଗଡ ଓ ସୁନ୍ଦରଗଡ ଜିଲାରେ ପ୍ରବଳ ବର୍ଷା ଏବଂ ନୂଆପଡା, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ରାୟଗଡା, ମାଲକାନଗିରି , କୋରାପୁଟ, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାରେ ବଜ୍ରପାତ ସମ୍ଭାବନା ରହିଛି । ଏହିସବୁ ଜିଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
