୨୫ ବେଳକୁ ଘୁର୍ଣ୍ଣିବଳୟ, ୨୬ରୁ ପ୍ରବଳ ବର୍ଷା!
ଭୁବନେଶ୍ୱର : ଆସନ୍ତା୨୫ ସେପ୍ଟେମ୍ବର ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ତତ-ସଂଲଗ୍ନ ଉତର-ପୂର୍ବ ବଙ୍ଗୋପସାଗର ଅଂଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୪୮ ଘଂଟା ମଧ୍ୟରେ ଏହା ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଗତିକରି ଓଡିଶା ଉପକୂଳ ପହଂଚିପାରେ । ଏହାର ପ୍ରଭାବରେ ୨୬ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ଅପରପକ୍ଷରେ ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ୧୧ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକୁ ଆଂଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।
ଏଥିସହିତ ସେପ୍ଟେମ୍ବର ୨୧ରୁ ୨୨ ତାରିଖ ମଧ୍ୟରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼,କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର, ସମ୍ବଲପୁର ଓ ଦେବଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉକ୍ତ ଜିଲ୍ଲାଗୁଡ଼ିକୁ ଆଂଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
