ରଥଯାତ୍ରା ବେଳେ ପୁରୀରେ ବାତିଲ ହେବ ହୋଟେଲ୍ ଓ ଲଜ ବୁକିଂ
ପୁରୀ : ଆଉ କିଛିଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କୋଭିଡ୍ ସଂକ୍ରମଣ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୂର୍ବବର୍ଷ ଭଳି ଚଳିତବର୍ଷ ବି ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ।। ଏଥିପାଇଁ ବ୍ୟାପକ କଟକଣା ଲଗାଇବାକୁ ନିଷ୍ପତି ହୋଇଛି । ଶ୍ରୀଗୁଣ୍ଡିଚା ଯାତ୍ରାର ଦିନକ ପୂର୍ବରୁ ପୁରୀ ସହର ଭିତରେ କର୍ଫ୍ୟୁ ଲଗାଇବାକୁ ପ୍ରଶାସନ ନିଷ୍ପତି ନେଇଛି । ବାହାର ଲୋକଙ୍କ ପ୍ରବେଶ ନିଷେଧ ସହ ହୋଟେଲ୍, ଲଜ୍ର ବୁକିଂ ବାତିଲ୍ କରାଯାଇଛି ।
ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ରଥଯାତ୍ରା ବେଳେ ଅର୍ଥାତ୍ ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରାରେ ପୁରୀ ସହରରେ କର୍ଫ୍ୟୁ ବଳବତର ରହିବ । ଶ୍ରୀଗୁଣ୍ଡିଚା ଯାତ୍ରାର ଦିନକ ପୂର୍ବରୁ ପୁରୀ ସହରରେ ୧୪୪ ଧାରା ଜାରି ହେବ । ଏହି କଟକଣା ଶ୍ରୀଗୁଣ୍ଡିଚା ଯାତ୍ରା ପରଦିନ ପର୍ଯ୍ୟନ୍ତ ବଳବତର ରହିବ । ସମାନ ବ୍ୟବସ୍ଥା ବାହୁଡ଼ାଯାତ୍ରାରେ ବି ଲାଗୁ ହେବ । ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ସହର ଭିତରେ କେହି ବି ଚଳପ୍ରଚଳ କରିପାରିବେ ନାହିଁ । ବଡ଼ଦାଣ୍ଡରେ କେତେ ହୋଟେଲ୍, ଲଜ୍ ଓ ବ୍ୟକ୍ତିଗତ ଘର ଅଛି, ସେ ସବୁର ତାଲିକା ପ୍ରସ୍ତୁତ ଚାଲିଛି । ବଡ଼ଦାଣ୍ଡରେ ଥିବା ସବୁ ହୋଟେଲ, ଲଜ୍ର ବୁକିଂ ଦୁଇଦିନ ପୂର୍ବରୁ ବାତିଲ୍ କରାଯିବ । କେହି ବି ଏହି ହୋଟେଲ୍, ଲଜ୍ରେ ରହି ପାରିବେ ନାହିଁ । ଜୁଲାଇ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଥିବା ଲଜ୍, ହୋଟେଲ ବନ୍ଦ ରଖାଯିବ । ବାକି ବଡ଼ଦାଣ୍ଡ ବାହାରେ ଯେଉଁ ହୋଟେଲ୍, ଲଜ୍ ଅଛି, ସେମାନଙ୍କ ସର୍ଭେ ବି ଚାଲିଛି । ଏଠାରେ ଯେଉଁମାନେ ରହିଛନ୍ତି, ସେମାନେ ହୋଟେଲ ରୁମ୍ରେ ରହିପାରିବେ, କିନ୍ତୁ କର୍ଫ୍ୟୁ ସମୟରେ ବାହାରକୁ ବାହାରି ପାରିବେ ନାହିଁ । କେହି ଯଦି କର୍ଫ୍ୟୁ ଉଲ୍ଲଂଘନ କରନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି । ଦୁଇ ଦିନ ତଳେ ବଡ଼ଦାଣ୍ଡରେ ଘର ଥିବା ଲୋକେ ସେମାନଙ୍କ ଛାତ ଉପରେ ରଥଯାତ୍ରା ଦେଖିପାରିବେ ବୋଲି ପ୍ରଶାସନ ଘୋଷଣା କରିଥିଲା । ମାତ୍ର ଆଜି ଏହି ନିଷ୍ପତିକୁ ପ୍ରଶାସ ବଦଳାଇଛି । ଛାତ ଉପରୁ ରଥଯାତ୍ରା ଦେଖିବା ଉପରେ ରୋକ୍ ଲଗାଇଛି ପ୍ରଶାସନ । ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ରଥଯାତ୍ରା ସମୟରେ ପୁରୀ ସହରରେ କର୍ଫ୍ୟୁ ଲାଗୁଥିବାରୁ କେହି ବି ଘରୁ ବାହାରି ପାରିବେନି । ବଡ଼ଦାଣ୍ଡର ଦୁଇପାର୍ଶ୍ୱରେ ଥିବା ଘର ଛାତରୁ ଯେଉଁ ଦର୍ଶନ ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଥିଲା, ତାକୁ ବଦଳାଯାଇଛି । ଏସ୍ଆରସିଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ପୂରା ବଡ଼ଦାଣ୍ଡ ସିଲ୍ ହେବ । କେହି ବି ଘରୁ ବାହାରି ପାରିବେନି । ଛାତ ଉପରୁ ଦର୍ଶନରେ ବି କଟକଣା ଲଗାଯାଇଛି ।
