ହୋଟେଲରେ ଭୟାବହ ଅଗ୍ନିକାଣ୍ଡ : ୧୦ ମୃତ, ୩୦ ଆହତ
ବ୍ୟାଙ୍କକ୍ : କାମ୍ବୋଡିଆର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ୧୦ ଜଣକ ମୃତ୍ୟୁ ହୋଇଥିବାବେଳେ ୩୦ ଆହତ ହୋଇଛନ୍ତି। ଏହି ଘଟଣା ପରେ ଅନେକ ନିଖୋଜ ଅଛନ୍ତି। ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛି।
ସୂଚନା ଯେ, ହୋଟେଲ କାସିନୋ ଗ୍ରାଣ୍ଡ ଡାଇମଣ୍ଡ ସିଟିରେ ଏହି ଘଟଣା ଘଟିଛି । ଏହି ହୋଟେଲ କାମ୍ବୋଡିଆ ଓ ଥାଇଲ୍ୟାଣ୍ଡର ସୀମାନ୍ତ ସହର ପୋଇପେଟରେ ଅଛି । ବୁଧବାର ଅପରାହ୍ନ ପ୍ରାୟ ୪ଟା ୩୦ଟା ବେଳେ ହୋଟେଲରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବାର କିଛି ସମୟ ମଧ୍ୟରେ ନିଆଁ ବ୍ୟାପି ଯାଇଥିଲା। ଘଟଣାସ୍ଥଳର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖାଯାଉଛି ଯେ ଜୀବନ ବଞ୍ଚାଇବା ପାଇଁ ଲୋକେ ୫ମ ମହଲାରୁ ତଳକୁ ଡେଉଁଛନ୍ତି। ଅଗ୍ନିଶମ ବାହିନୀ ନିଆଁକୁ ୭୦ ପ୍ରତିଶତ ଆୟତ୍ତ କରିଥିବା ନେଇ କୁହାଯାଇଛି। ହୋଟେଲରେ ମଧ୍ୟରାତ୍ରିରେ ଏହି ନିଆଁ ଲାଗିଥିଲା। ଏହାପରେ ଏହି ନିଆଁ ସମଗ୍ର ବିଲ୍ଡିଂରେ ଲାଗିଯାଇଥିଲା। କୁହାଯାଉଛି ପ୍ରାୟ ୬ ଘଣ୍ଟା ଧରି ନିଆଁ ଲାଗିରହିଥିଲା। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେତେବେଳେ ହୋଟେଲରେ ପ୍ରାୟ ୪୦୦ ଲୋକ ଥିଲେ। ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡ଼ିନଥିଲେ ହେଁ ତଦନ୍ତ କରାଯାଉଛି। ଥାଇଲାଣ୍ଡ ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ କିଛି ଆହତଙ୍କୁ ଥାଇଲ୍ୟାଣ୍ଡର ସା ଆଓ ପ୍ରଦେଶର ଡାକ୍ତରଖାନାକୁ ନିଆଯାଇଛି। ପୋଇପେଟ୍ ସହର ହେଉଛି ଦୁଇ ଦେଶ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୀମାନ୍ତ ଅଞ୍ଚଳ । ଏଠାରେ ବହୁ ଜଣାଶୁଣା କାସିନୋ ଅଛି । ଥାଇଲାଣ୍ଡରେ ଜୁଆ ଖେଳ ବେଆଇନ ହୋଇଥିବାରୁ ଅଧିକାଂଶ ଥାଇ ନାଗରିକ ଏଠାକୁ ଆସନ୍ତି ।
