ପଦ୍ମତୋଳା ହ୍ରଦର ପୁନଃଉଦ୍ଧାର ପାଇଁ ଆଶା ଉଦ୍ଜୀବିତ; କ୍ଷେତ୍ର ପରିଦର୍ଶନ କଲେ ବିଭାଗୀୟ ଅଧିକାରୀ ଓ ବିଧାୟକ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରିର କାଂଶ ଓ ନରସିଂହପୁର ଅଞ୍ଚଳରେ ଥିବା ଏକ ମାତ୍ର ପ୍ରାକୃତିକ ପଦ୍ମତୋଳା ହ୍ରଦ ରାଜ୍ୟ ପର୍ଯ୍ୟଟନ ଇତିହାସର ଏକ ଅନନ୍ୟ କ୍ଷେତ୍ର । ମାତ୍ର ଏବେ ଏହି ହ୍ରଦ ପଙ୍କରେ ଭର୍ତ୍ତି । ଏହାର ପୁନଃରୁଦ୍ଧାର ପାଇଁ ସ୍ଥାନୀୟ ବିଧାୟକ ଓ ବିଭାଗୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଫଳରେ ହ୍ରଦର ପୁନଃରୁଦ୍ଧାର ପାଇଁ ଆଶା ଉଦ୍ଜୀବିତ ହୋଇଛି ।
ନୀଳଗିରି ଗଡ଼ଜାତ ଅଞ୍ଚଳର ରାଜା ରାଜୁଡ଼ା ସମୟରେ ସ୍ଥାନୀୟ ଲୋକଙ୍କ ସମେତ ଓଡ଼ିଶା ବାହାରର ପର୍ଯ୍ୟଟକ ଦେଶୀ ଓ ବିଦେଶୀ ପକ୍ଷୀ ଆସୁଥିବାରୁ ପଦ୍ମତୋଳାକୁ ଭ୍ରମଣ ପାଇଁ ପର୍ଯ୍ୟଟକ ମାନଙ୍କ ସୁଅ ଛୁଟିଥିଲା । ବହୁ ବିଦେଶୀ ପକ୍ଷୀ ମଧ୍ୟ ଏଠାକୁ ଆସିଥାନ୍ତି । ସେଥିପାଇଁ ନୀଳଗିରି ବନବିଭାଗ ପକ୍ଷରୁ ପ୍ରତିବର୍ଷ ଏଠାରେ ପକ୍ଷୀଗଣନା ହୋଇଥାଏ । କାଳକ୍ରମେ ଶହ ଶହ ଏକର ପରିବ୍ୟାପ୍ତ ସ୍ଥାନଟି ପଙ୍କରେ ପୋତି ହୋଇଯାଇଛି । ପଙ୍କରେ ଭର୍ତ୍ତି ହୋଇଯାଇଥିବା ଏହି ପର୍ଯ୍ୟଟନ କ୍ଷେତ୍ର ପଦ୍ମତୋଳାର ପୁନଃ ଉଦ୍ଧାର କରାଯାଇ କୃଷିକାର୍ଯ୍ୟ ସାଧନ ତଥା ଜଳସମ୍ପଦର ସଂରକ୍ଷଣ ଉଦ୍ଦେଶ୍ୟରେ ପୂର୍ବରୁ ଥିବା ବିଧାୟକ ଓ ପରେ ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକ ବିଧାୟକ ହେବା ପରେ ନିରନ୍ତର ବହୁବାର ଦାବି ପରେ ଜାରି ରଖିଥିବା ବେଳେ ଏ ନେଇ ଗତ ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ବିଧାୟକ ଇଂ. ନାୟକଙ୍କ ବିଧାନସଭାରେ ପ୍ରଶ୍ନ ପରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ତୁରନ୍ତ ଗୁରୁତ୍ୱ ଦେଇ ବିଭାଗୀୟ ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ ସହିତ ଆଗାମୀ ଡିସେମ୍ବର ୩୧ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଜାରି କରିଥିଲେ । ଏନେଇ ଆଡ଼ିସନାଲ ଚିଫ୍ ଇଂ. ରମେଶ କୁମାର ସାବତ, ବାଲେଶ୍ୱର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମାନସ ଦାସ, ନୀଳଗିରି କ୍ଷୁଦ୍ର ଜଳସେଚନ ବିଭାଗର ଏସ୍ଡିଓ ନିମାଇଁ ନାୟକ, କନିଷ୍ଠ ଯନ୍ତ୍ରୀ ରମେଶ ଦାସ, ଡ୍ରେନେଜର ଏସ୍ସି ଏବଂ ନୀଳଗିରି ବିଧାୟକ ଇଂ. ନାୟକଙ୍କ ସମେତ ସ୍ଥାନୀୟ ଲୋକେ ପଦ୍ମତୋଳା ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଫଳରେ ପଦ୍ମତୋଳା ପୁନଃଉଦ୍ଧାର ହେବାର ଆଶା ଉଦ୍ଜୀବିତ ହୋଇଛି । ବିଧାୟକଙ୍କ ଏଭଳି ଉଦ୍ୟମକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ।
