ପବିତ୍ର ବାରୁଣୀ ସ୍ନାନ ଓ ବୈତରଣୀ ବୁଡ଼
ପ୍ରତିବର୍ଷ ଚୈତ୍ରମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ବାରୁଣୀ ସ୍ନାନ ଯୋଗ ପଡ଼େ । ଚୈତ୍ରକୃଷ୍ଣ ତ୍ରୟୋଦଶୀ ଦିନ ଯଦି ଶନିବାର ବା ଶତଭିଷା ନକ୍ଷତ୍ର ଓ ଜ୍ୟୋତିଷ ମାନଙ୍କ ମତରେ ଶୁଭଯୋଗ ପଡ଼େ ତେବେ ଏହାକୁ ବାରୁଣୀ ଯୋଗ କୁହାଯାଏ । ତେବେ ଶନିବାର ଓ ଶତଭିଷା ନକ୍ଷତ୍ର ଉଭୟ ଯଦି ସେହିଦିନ ପଡ଼ନ୍ତି ତେବେ ଏହାକୁ ମହାବାରୁଣୀ ଯୋଗ କୁହାଯାଏ । ଏହି ବାରୁଣୀ ଓ ମହାବାରୁଣୀ ଯୋଗରେ ଗଙ୍ଗାରେ ସ୍ନାନ କଲେ ବିଶେଷ ପୁଣ୍ୟଫଳ ପ୍ରାପ୍ତି ହୁଏ ।
ବିରଜାକ୍ଷେତ୍ର ଯାଜପୁରରୁ ଉତର ଦିଗକୁ କିଛି ବାଟ ଯିବା ପରେ ବୈତରଣୀ ନଦୀ ପଡ଼େ । ପବିତ୍ର ବାରୁଣୀ ସ୍ନାନଯୋଗରେ ଏହି ପବିତ୍ର ବୈତରଣୀ ନଦୀରେ ସ୍ନାନ କଲେ ପୁଣ୍ୟଫଳ ପ୍ରାପ୍ତ ହୁଏ । ମହାଭାରତର ଆଦି, ସଭା, ବନ ଓ ଭୀଷ୍ମ ପର୍ବରେ ବୈତରଣୀ ତୀର୍ଥର ମହିମା ଓ ପ୍ରତିଷ୍ଠା ସମ୍ବନ୍ଧରେ ବର୍ଣ୍ଣନା ରହିଛି ।
ବୈତରଣୀ ତୀର୍ଥର ପ୍ରାଚୀନତା ସମ୍ପର୍କରେ ମହର୍ଷି ବ୍ୟାସଦେବଙ୍କ ପ୍ରଣୀତ ସଂସ୍କୃତ “ମହାଭାରତ” ହିଁ ସର୍ବପ୍ରାଚୀନ ପ୍ରାମାଣିକ ତଥ୍ୟ ପ୍ରଦାନ କରି ଏହାର ନବମ ଅଧ୍ୟାୟରେ ଉଲ୍ଲେଖ ଅଛି – ଗୋଦାବରୀ କୃଷ୍ଣବେଣୀ କାବେରୀଚ ସରିଦ୍ବରା । କିମ୍ପୂନା ଚ ବିଶଲ୍ୟା ଚ ତଥା ବୈତରଣୀ ନଦୀ । ଏତାଶ୍ଚାନ୍ୟାଶ୍ଚ ରାଜେନ୍ଦ୍ର ସୁତୀର୍ଥା ଲୋକ ବିଶ୍ରୁତାଃ । ଅର୍ଥାତ୍ ହେ ରାଜେନ୍ଦ୍ର! ଗୋଦାବରୀ, କୃଷ୍ଣବେଣୀ, ସରିତ୍ବରା, କାବେରୀ, କିମ୍ପୂନ, ବିଶଲ୍ୟା, ଏବଂ ବୈତରଣୀ ପ୍ରମୁଖ ନଦୀଗୁଡ଼ିକ ସୁତୀର୍ଥ ଭାବରେ ବହୁ ଲୋକ ବିଶ୍ରୁତ ହୋଇ ପୂଜିତ ହୋଇ ଆସୁଛନ୍ତି ।
ସେହିପରି ମହାଭାରତର ବନପର୍ବର ପଂଚାଅଶୀ ଅଧ୍ୟାୟରେ ଉଲ୍ଲେଖ ଅଛି – ତତୋ ବୈତରଣୀଂ ଗଚ୍ଛେତ୍ ସର୍ବପାପ ପ୍ରମୋଚନୀମ୍ । ବିରଜାଂ ତିର୍ଥମାସଦ୍ୟ ବରାଜତି ଯଥା ଶଶୀ । । ପ୍ରତରେନ୍ କୁଳଂ ପୁଣ୍ୟ ସର୍ବପାପଂ ବ୍ୟପୋହତି । ଗୋ ସହସ୍ର ଫଳଂ ଲବ୍ଧା ପୁନତି ସୂକୁଳଂ ନରଃ । । ମହାଭାରତର ଏହି ଉକ୍ତିମାନ ବୈତରଣୀ ତୀର୍ଥର ମହତ୍ୱ, ପ୍ରାଧାନ୍ୟ ଓ ପ୍ରାଚୀନତାର ଯେ ପ୍ରଖ୍ୟାପକ ଏଥିରେ ସନ୍ଦେହ ନାହିଁ । ଏହି ବାରୁଣୀକି ପୁଣି ଭିନ୍ନ ଭିନ୍ନ ନାମରେ ଲୋକକଥାରେ ଅଭିହିତ କରାଯାଇଥାଏ । ଯଥା ବାରୁଣୀ, ମହାବାରୁଣୀ, ମହା ମହା ବାରୁଣୀ, ଯୋଗ ବାରୁଣୀ ଓ ମଧୁବାରୁଣୀ ଇତ୍ୟାଦି ।
ବାରୁଣୀ ଶବ୍ଦର ଅର୍ଥ ବରୁଣରୁ ଜାତ ବା ବରୁଣ ସମ୍ବନ୍ଧୀୟ । ଅନ୍ୟ ଅର୍ଥରେ ବାରୁଣୀ କହିଲେ ବରୁଣଙ୍କର କନ୍ୟା ବା ବାରୁଣୀ ମଦ୍ୟକୁ ବୁଝାଇଥାଏ । ବୈତରଣୀ ନଦୀରେ ପ୍ରତି ବର୍ଷ ପଡ଼ୁଥିବା ବାରୁଣୀ ଯୋଗ ଏହି ବରୁଣ ଶବ୍ଦରୁ ସମ୍ବ୍ରୁତ ହୋଇଅଛି । ଜଳର ଅଧିଷ୍ଠାତା ଦେବତା ହେଉଛନ୍ତି ବରୁଣ । ତେଣୁ ତାଙ୍କ ଜଳରେ ପଡ଼ୁଥିବା ସ୍ନାନଯୋଗ ବାରୁଣ ନାମରେ ଅଭିହିତ ହେବା ସ୍ୱାଭାବିକ । ଶାସ୍ତ୍ରରେ ଉଲ୍ଲେଖ ଅଛି “ବରୁଣେନ ସମାଯୁକ୍ତା ମଧୌ କୃଷ୍ଣତ୍ରୟୋଦଶୀ । ଗଙ୍ଗାୟାଂ ଯଦି ଲଭ୍ୟେତେ ସୂର୍ଯ୍ୟଗ୍ରହଣତୈଃ ସମଃ” ।
କେତେକ ହିନ୍ଦୁ ବିଶ୍ୱାସୀମାନେ ବାରୁଣୀଯୋଗରେ ପବିତ୍ର ବୈତରଣୀ ନଦୀରେ ସ୍ନାନ କରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବା ସହ ଗୋଦାନ ମଧ୍ୟ କରିଥାନ୍ତି । ଏଠାରେ ପାଖାପାଖି ବାରଦିନ ବ୍ୟାପୀ ମେଳା ଅନୁଷ୍ଠିତ ହୁଏ । ଓଡ଼ିଶାର କୁମ୍ଭଭାବେ ବାରୁଣୀ ସ୍ନାନକୁ ବୁଝାଏ । ଚୈତ୍ରମାସର ମକର ରାଶିରେ ରବିଗ୍ରହଙ୍କ ପ୍ରବେଶ ସମୟରେ ଏହି ବାରୁଣୀ ଯୋଗ ପଡ଼େ । ଏହି ସ୍ନାନ ଆମକୁ ଐତିହାସିକ ଜୀବନଶୈଳୀ, ଧାର୍ମିିକ କର୍ମ, ସଂସ୍କୃତି ଯାହା ବହୁ ପୁରାତନ କାଳରୁ ଚାଲି ଆସିଛି ତାହା ଉଜ୍ଜୀବିତ କରିରଖିଛି ।
