ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଡିଏଭି ରୌପ୍ୟ ଜୟନ୍ତୀରେ ଯୋଗଦାନ
ଝାରସୁଗୁଡ଼ା ଡିଏଭିର ରୌପ୍ୟ ଜୟନ୍ତୀ ଧୂମଧାମରେ ପାଳିତ, ଜାତି ବିନା ମୁକ୍ତି ନାହିଁ, ମୁକ୍ତି ବିନା ଜାତି ନାହିଁ’- ରାଜ୍ୟପାଳ
ଝାରସୁଗୁଡ଼ା : ମହାମହିମ ରାଜ୍ୟପକ୍ଷଳ ପ୍ରଫେସର ଗଣେଶୀ ଲାଲ ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲର ୨୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହୋଇଥିବା ଦ୍ୱିଦିବସୀୟ ରୌପ୍ୟ ଜୟନ୍ତୀ ‘ରୌପ୍ୟସ୍ମାରିକା’ ସମାରୋହକୁ ଉଦଘାଟନୀ ଦୀପ ପ୍ରଜ୍ଜ୍ୱଳନପୂର୍ବକ ଶୁଭ ଉଦଘାଟନ କରିଥିଲେ । ମହାମହିମ ରାଜ୍ୟପକ୍ଷଳ ପ୍ରଫେସର ଗଣେଶୀ ଲାଲ ଡିଏଭି ପରିସରରେ ରୌପ୍ୟ ଜୟନ୍ତୀ ସ୍ମରିକା ଭବନ ନିର୍ମାଣ ପାଇଁ ଶିଳାନ୍ୟାସ କରିବା ସହ ନବନିର୍ମିତ ଜୟନ୍ତୀ ବିଜ୍ଞାନ ପାର୍କର ଶୁଭ ଉଦଘାଟନ ଓ ୨୫ ବର୍ଷର ସ୍ମୃତିସମ୍ମିଳିତ କଫି ଟେବୁଲ ବୁକ \’ସିଲଭେରା\’ ଉନ୍ମୋଚନ କରିଥିଲେ ଓ ଆର୍ଟ ଗ୍ୟାଲେରୀକୁ ପରିଦର୍ଶନ କରିଥିଲେ । ମହାମହିମ ରାଜ୍ୟପାଳ ତାଙ୍କ ମାର୍ଗଦର୍ଶନରେ ଶୂନ୍ୟ ଅଙ୍କର ମହତ୍ତ୍ୱ ବିଷୟରେ ତଥା ଗୀତାଜ୍ଞାନ, ବେଦ ଓ ସ୍ୱାମୀ ଦୟାନନ୍ଦଙ୍କ ଜୀବନ ଦର୍ଶନ ସମ୍ପର୍କରେ ଆଲୋକପାତ କରିଥିଲେ । ଜାତି ବିନା ମୁକ୍ତି ନାହିଁ, ମୁକ୍ତି ବିନା ଜାତି ନାହିଁ ବୋଲି ପ୍ରକାଶ କରିବା ସହିତ ଡିଏଭିକୁ ସାଂସ୍କୃତିକ ଓ ଆଧ୍ୟାତ୍ମିକ ବିଚାରର ଆଧାର ବୋଲି ଅଭିବ୍ୟକ୍ତ କରିଥିଲେ । ଡିଏଭି କଲେଜ ମ୍ୟାନେଜିଙ୍ଗ କମିଟି, ନୂଆ ଦିଲ୍ଲୀ ସମ୍ପାଦକ ତଥା ଝାରସୁଗୁଡ଼ା ଡିଏଭି ପରିଚାଳନା ସମିତି ଅଧ୍ୟକ୍ଷ ପ୍ରଫେସର ମହେଶ ଚୋପ୍ରା, ଡିଏଭି ବିଦ୍ୟାଳୟସମୂହ ଓଡ଼ିଶାଙ୍କ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର କେ. ସି. ଶତପଥୀ, ଡିଏଭି ବିଦ୍ୟାଳୟସମୂହ ଓଡ଼ିଶାଙ୍କ ଆଞ୍ଚଳିକ ଅଫିସର ଲୋକନାଥ ପ୍ରଧାନ ଓ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ମଞ୍ଚାସୀନ ଥିଲେ । ତଦ୍ରୂପ ଦ୍ୱିତୀୟ ସନ୍ଧ୍ୟାରେ ଆଇ.ଆଇ.ଏମ. ସମ୍ବଲପୁରର ସ୍ଥାପକ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମହାଦେଓ ଜୟସ୍ୱାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବିଦ୍ୟାଳୟର ଯୁବ ଛାତ୍ରଛାତ୍ରୀ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଭାଗୀମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ପ୍ରାରମ୍ଭିକ ଚେୟାରମ୍ୟାନ ମହେନ୍ଦ୍ର ସିଂ, ପ୍ରାରମ୍ଭିକ ବେଳର ମାର୍ଗଦର୍ଶନକାରୀ ଅବସରପ୍ରାପ୍ତ ପଡ଼ୋଶୀ ଡିଏଭି ଅଧ୍ୟକ୍ଷ ନାରାୟଣ କଚାରିଆ, ତତ୍କାଳୀନ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଏଚ.କେ. ମହାନ୍ତି, ଅତିରିକ୍ତ ଆଞ୍ଚଳିକ ଅଫିସର ସୁରେନ୍ଦ୍ର କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ଦୀର୍ଘ ୨୫ ବର୍ଷର ଯାତ୍ରାରେ ଅତୁଳନୀୟ ଅବଦାନ ଲାଗି ତାପସ ରାୟ ଚୌଧୁରୀ, ଅର୍ଜୁନଲାଲ ଅଗ୍ରୱାଲ, ରମେଶ ଗାନ୍ଧୀ, ଡକ୍ଟର ଦେବଶ୍ଳୋକ ଶର୍ମା, ଓମପ୍ରକାଶ ଅଗ୍ରୱାଲ, ସୁବ୍ରତ ତ୍ରିପାଠୀ ଓ ଗୌରୀଶଙ୍କର ତିୱାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା ।
