ହୀରାକୁଦକୁ ପଶ୍ଚିମ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର ଗେଟ୍-ୱେ ଭାବେ ବିକଶିତ କରାଯିବ
ସମ୍ବଲପୁର : ହୀରାକୁଦକୁ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ଗେଟ୍ ୱେ (ପ୍ରବେଶ ପଥ) ଭାବେ ବିକଶିତ କରାଯିବ । ହୀରାକୁଦ ଜଳଭଣ୍ଡାରର ନୀଳ ଜଳରାଶିରେ ପର୍ଯ୍ୟଟନ ପାଇଁ ରହିଥିବା ସମସ୍ତ ସମ୍ଭାବନା ଓ ସୁଯୋଗର ସଦୁପଯୋଗ କରାଯିବ ବୋଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ କହିଛନ୍ତି । ସମ୍ବଲପୁର ଗସ୍ତରେ ଆସି ଶ୍ରୀ ତ୍ରିପାଠୀ ଆଜି ହୀରାକୁଦ ସ୍ଥିତ ବୋଟିଂ କ୍ଲବ୍, ଦେବ୍ରିଗଡ଼ ଅଭୟାରଣ୍ୟ, ବାଦୁଡ଼ି ଦ୍ୱୀପ, ପଞ୍ଜୁରୀ ମାଛ ଚାଷ (କେଜ୍ କଲଚର), ଝାଙ୍କରାଣୀ ମନ୍ଦିର ଆଦି ସ୍ଥାନରେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଶ୍ରୀ ତ୍ରିପାଠୀ ସମ୍ବଲପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଶେଷ କରି ୨ ବର୍ଷ ତଳେ ହୀରାକୁଦକୁ ବିଶ୍ୱସ୍ତରିୟ ପର୍ଯ୍ୟଟନ ସ୍ଥଳି ଭାବେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ସେ ସୂଚନା ଦେଇ ଏଥିପାଇଁ ୧୩୦ କୋଟି ଟଙ୍କାର ବ୍ୟବୟବରାଦ କରାଯାଇଛି ବୋଲି କହିଥିଲେ । ତେବେ ତାଙ୍କ ସମ୍ବଲପୁର ଗସ୍ତର ମୂଳଲକ୍ଷ୍ୟ ଜିଲ୍ଲାରେ ପର୍ଯ୍ୟଟନଭିତିକ ବିଭିନ୍ନ ପ୍ରକଳ୍ପ ପାଇଁ ସ୍ଥାନ ଓ ସ୍ଥିତି ସମୀକ୍ଷା କରିବା ବୋଲି ଶ୍ରୀ ତ୍ରିପାଠୀ କହିଥିଲେ ।
