ଆଧୁନିକ ଏଲଏଚବି କୋଚ୍ ସହିତ ହିରାଖଣ୍ଡ ଏକ୍ସପ୍ରେସର ଶୁଭାରମ୍ଭ
- ଯାତ୍ରୀ ନିରାପତା ଏବଂ ସୁବିଧା ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର : କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ସନ୍ଧ୍ୟାରେ ନୂଆଦିଲ୍ଲୀର ରେଳ ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୦୮୪୪୫ /୦୮୪୪୬ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସର ନୂତନ ଏଲଏଚବି ରେକକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ରେଳବାଇରେ ସଂସ୍କାର ଆଣିବା ଆବଶ୍ୟକତା ସମ୍ବନ୍ଧରେ ମାନ୍ୟବର ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରୁଛନ୍ତି । ଭାରତୀୟ ରେଳବାଇକୁ କେବଳ ବର୍ଦ୍ଧିତ ପରିବର୍ତନ ନକରି ଏହାକୁ ସୁଦୃଢ଼ ଭାବେ ପରିବର୍ତନ କରିବା ଏହାର ଲକ୍ଷ୍ୟ ଅଟେ । ବର୍ତମାନ କେନ୍ଦ୍ର ସରକାର ଏହି ପ୍ରକଳ୍ପଗୁଡ଼ିକୁ ଏକ ଏକ୍ସପ୍ରେସ ମୋଡରେ ଅନୁସରଣ କରୁଛନ୍ତି । ପ୍ରତିବର୍ଷ ପ୍ରାୟ ଛଅ ହଜାରରୁ ସାତ ହଜାର କୋଟି ଟଙ୍କା ଓଡିଶାରେ ରେଳ ଭିତିଭୂମି ବିକାଶ ପାଇଁ ବଜେଟରେ ମଞ୍ଜୁର କରାଯାଉଛି । ଆମର ସମ୍ମାନିତ ଯାତ୍ରୀମାନଙ୍କୁ ଉନ୍ନତ ସଂଯୋଗ ଏବଂ ସୁବିଧା ଯୋଗାଇବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ଅଛନ୍ତି । ନିକଟରେ ଓଡ଼ିଶା ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ହିରାଖଣ୍ଡ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ସହ ଯାତ୍ରା କରି ରେଳ ସେବା ବିଷୟରେ ସେମାନଙ୍କ ମତାମତ ନେଇଥିଲେ । ହୀରାଖଣ୍ଡ ଏକ୍ସପ୍ରେସରେ ନୂତନ ଆଧୁନିକ ଏଲଏଚବି ରେକ୍ ସଂଯୋଗ କରିବା ଦ୍ୱାରା ଯାତ୍ରୀମାନଙ୍କୁ ଉନ୍ନତ ତଥା ସୁଖଦ ଯାତ୍ରା ଅଭିଜ୍ଞତା ପ୍ରଦାନ କରାଯିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି । ଏହାବ୍ୟତୀତ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ହିରାଖଣ୍ଡ ଏକ୍ସପ୍ରେସ ଭୁବନେଶ୍ୱରରୁ ଜଗଦଲପୁର ପର୍ଯ୍ୟନ୍ତ ୭୮୪ କିଲୋମିଟର ଯାତ୍ରା କରୁଥିବାବେଳେ ଏହା ଓଡିଶା, ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡର ୨୧ ଟି ମଧ୍ୟବର୍ତୀ ଷ୍ଟେସନରେ ରହଣି କରୁଛି । ଏହି ଟ୍ରେନର ଅନ୍-ବୋର୍ଡ ଯାତ୍ରୀମାନେ ବର୍ତମାନ ଆଧୁନିକ ଏଲଏଚବି ରେକ୍ରେ ଯାତ୍ରା ସମୟରେ ଟ୍ରେନ ଭିତରୁ ମାର୍ଗରେ ଥିବା ଉପତ୍ୟକା, ଟନେଲ୍, ପ୍ରାଣୀ ଏବଂ ଉଦ୍ଭିଦର ଅପ୍ରତିମ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ, ଯେଉଁଥିରେ ନୂତନ ଆଧୁନିକ ଏଲଏଚବି କୋଚ୍ର ଆରାମଦାୟକ ଯାତ୍ରା ସହିତ ପ୍ରଶସ୍ତ ଝରକା ଏବଂ ମଡ୍ୟୁଲାର୍ ଆଭ୍ୟନ୍ତରୀଣ ସୁବିଧାଗୁଡିକ ପ୍ରଦାନ କରାଯାଇଅଛି ।
ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ହିରାଖଣ୍ଡ ଏକ୍ସପ୍ରେସରେ ଏଲଏଚବି କୋଚ ଯାତ୍ରୀମାନଙ୍କୁ ଉନ୍ନତ ଆରାମ ଏବଂ ଜର୍କ ମୁକ୍ତ ଯାତ୍ରା ଯୋଗାଇବ । ଯାତ୍ରୀମାନଙ୍କୁ ଉତମ ଓ ଆରାମ ଦାୟକ ଏବଂ ଜର୍କ ମୁକ୍ତ ଯାତ୍ରା ଯୋଗାଇବା ପାଇଁ ପୂର୍ବତଟ ରେଳପଥ ବର୍ତମାନ ଚାଲୁଥିବା ପାରମ୍ପାରିକ କୋଚଗୁଡ଼ିକୁ ବଦଳାଇ ଆଧୁନିକ ଲିଙ୍କେ-ହୋଫମାନ-ବୁଶ (ଖଐଈ) କୋଚ ସହିତ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ଚଳାଚଳ କରାଇବାକୁ ନିଷ୍ପତି ନେଇଛି । ଏଲ.ଏଚ.ବି. କୋଚ୍ ର ଅନେକ ଗୁଡିଏ ବୈଶିଷ୍ଟତା ରହିଛି । ଏହା ଆଂଟି ଟେଲିସ୍କୋପିକ । ଦ୍ୱୈତ ବଫର ପ୍ରଣାଳୀ ପରିବର୍ତେ କେନ୍ଦ୍ରୀୟ ବଫର କପଲିଙ୍ଗ ପ୍ରଣାଳୀ ଯୁକ୍ତ ଏହି ଆଧୁନିକ ପ୍ରଣାଳୀର ଏଲ.ଏଚ.ବି. କୋଚ ନିରାପତା ଦୃଷ୍ଟିରୁ ଫଳପ୍ରଦ ଅଟେ । ପୂର୍ବ ପ୍ରଚଳିତ କୋଚ ଅପେକ୍ଷା ଏହାର ଲମ୍ବା ଅଧିକ ଥିବାରୁ ଅଧିକ ବର୍ଥ କ୍ଷମତା ବୃଦ୍ଧି କରିଥାଏ । ଏହି ନୂତନ ପ୍ରଣାଳୀର କୋଚ୍ ଗୁଡିକର ରକ୍ଷଣାବେକ୍ଷଣ ଖର୍ଚ କମ ଅଟେ । ଏହା ମଧ୍ୟ ପୂର୍ବ ପ୍ରଚଳିତ କୋଚ୍ ତୁଳନାରେ କମ ଖର୍ଚରେ ଉପଲବ୍ଧ ଅଟେ । ହୀରାଖଣ୍ଡ ଏକ୍ସପ୍ରେସ୍ ବର୍ତମାନ ୧୨ କୋଚ୍ ଯଥା ଗୋଟିଏ ଏସି-୨ ଟାୟାର, ଦୁଇଟି ଏସି ୩ ଟାୟାର, ଚାରିଟି ସ୍ଲିପର କ୍ଲାସ, ତିନିଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ମିଶ୍ରଣ ସହିତ ଏଲଏଚବି କୋଚ ସହିତ ଚଳାଚଳ କରିବ ।
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ, ଭାରତ ସରକାର ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ ଯୋଗ ଦେଇ ରେଳବାଇର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିବା ସହିତ ଓଡ଼ିଶାର ରେଳ ଭିତିଭୂମି ତଥା ପ୍ରକଳ୍ପର ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏହି ଅଂଚଳ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି ବୋଲି କହିଥିଲେ । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା, ବିଧାୟକ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ମକରନ୍ଦ ମୁଦୁଲି ପ୍ରମୁଖ ଏହି ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନରେ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ ।
