ଆଜି ହିରାଖଣ୍ଡ ଏକ୍ସପ୍ରେସ ଆଧୁନିକ ଏଲଏଚବି କୋଚ୍ର ଶୁଭାରମ୍ଭ
ଭୁବନେଶ୍ୱର : ଆଜି ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସର ନୂତନ ଏଲଏଚବି ରେକର ଶୁଭାରମ୍ଭ ହେବ । କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀର ରେଳ ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ମନ୍ତ୍ରୀ ପଦ୍ମନାଭ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା; ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ସପ୍ତଗିରି ଶଙ୍କର ଉଲ୍ଲାକା, ବିଧାୟକ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ଅନନ୍ତ ନାରାୟଣ ଜେନା, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ରାଜେନ୍ଦ୍ର କୁମାର ସାହୁ, ସୁଶାନ୍ତ କୁମାର ରାଉତ, ମକରନ୍ଦ ମୁଦୁଲି ଏବଂ ପ୍ରଭୁ ଜାନୀ ପ୍ରମୁଖ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ସମ୍ମାନିତ ଅତିଥି ଭାବରେ ଯୋଗଦେବେ ।
ଯାତ୍ରୀମାନଙ୍କୁ ଉତମ ଓ ଆରାମ ଦାୟକ ଏବଂ ଜର୍କ ମୁକ୍ତ ଯାତ୍ରା ଯୋଗାଇବା ପାଇଁ ପୂର୍ବତଟ ରେଳପଥ ବର୍ତମାନ ଚାଲୁଥିବା ପାରମ୍ପାରିକ କୋଚଗୁଡ଼ିକୁ ବଦଳାଇ ଆଧୁନିକ ଲିଙ୍କେ-ହୋଫମାନ-ବୁଶ (ଏଲଏଚବି ) କୋଚ ସହିତ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ଚଳାଚଳ କରାଇବାକୁ ନିଷ୍ପତି ନେଇଛି । ୦୮୪୪୫/୦୮୪୪୬ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ସ୍ୱତନ୍ତ୍ର ହିରାଖଣ୍ଡ ଏକ୍ସପ୍ରେସ ୧୦ ସେପ୍େଟମ୍ବର ଠାରୁ ଭୁବନେଶ୍ୱର ରୁ ଏବଂ ୧୧ ସେପ୍େଟମ୍ବର ଠାରୁ ଜଗଦଲପୁରରୁ ଯାତାୟାତ କରିବ ।ସ୍ପେଶାଲ୍ ହୀରାଖଣ୍ଡ ଏକ୍ସପ୍ରେସ୍ ବର୍ତମାନ ପୂର୍ବ ଭଳି ୧୨ କୋଚ୍ ଯଥା ଗୋଟିଏ ଏସି-୨ ଟାୟାର, ଦୁଇଟି ଏସି ୩ ଟାୟାର, ଚାରିଟି ସ୍ଲିପର କ୍ଲାସ, ତିନିଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ମିଶ୍ରଣ ସହିତ ଚଳାଚଳ କରିବ ଏବଂ ଏହାର ଗଠନରେ କେବଳ ପାରମ୍ପରିକ କୋଚଗୁଡ଼ିକୁ ବଦଳାଇ ଏଲଏଚବି କୋଚ୍ ଦ୍ୱାରା ଚଳାଚଳ ହେବ । ଏଲ.ଏଚ.ବି. କୋଚ୍ ଆଂଟି ଟେଲିସ୍କୋପିକ । ଦ୍ୱୈତ ବଫର ପ୍ରଣାଳୀ ପରିବର୍ତେ କେନ୍ଦ୍ରୀୟ ବଫର କପଲିଙ୍ଗ ପ୍ରଣାଳୀ ଯୁକ୍ତ ଏହି ଆଧୁନିକ ପ୍ରଣାଳୀର ଏଲ.ଏଚ.ବି. କୋଚ ଦୁର୍ଘଟଣା ସମୟରେ କୋଚ ଉପରେ କୋଚ ଚଢି ନଯାଇ ପାଖାପାଖି ହୋଇ ରହିଯାଏ ଏବଂ କୋଚ ଗୁଡିକ ପୂର୍ବ କୋଚ ଭଳି ଓଲଟି ଯାଇନଥାଏ । ପୂର୍ବ ପ୍ରଚଳିତ କୋଚ ଅପେକ୍ଷା ଏହାର ଲମ୍ବା ଅଧିକ ଥିବାରୁ ଅଧିକ ବର୍ଥ କ୍ଷମତା ବୃଦ୍ଧି କରିଥାଏ । ଏହି ନୂତନ ପ୍ରଣାଳୀର କୋଚ୍ ଗୁଡିକର ରକ୍ଷଣାବେକ୍ଷଣ ଖର୍ଚ କମ ଅଟେ । ଏହା ମଧ୍ୟ ପୂର୍ବ ପ୍ରଚଳିତ କୋଚ୍ ତୁଳନାରେ କମ ଖର୍ଚରେ ଉପଲବ୍ଧ ଅଟେ ।
