ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ୧୧ଟାରେ ଏସଆରସିଙ୍କ ଅଧ୍ୟକ୍ଷତାରେ ବସିବ ଉଚ୍ଚସ୍ତରୀୟ ବୈଠକ
ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଫଳରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲଫ କମିଶନର (ଏସଆରସି) ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବା । ମଙ୍ଗଳବାର ଦିନ ୧୧ଟାରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, ସୁନ୍ଦରଗଡ, କେନ୍ଦୁଝର, ନୂଆପଡା, ବଲାଙ୍ଗିର ଏବଂ ବରଗଡ ଆଦି ଜିଲାରେ ଆଗାମୀ ତିନିଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିସହିତ ଏହି ସମୟ ମଧ୍ୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ। ସେଥିପାଇଁ ଏହି ସମସ୍ତ ଅଞ୍ଚଳର ଜନସାଧାରଣ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ଖାଲୁଆ ଅଞ୍ଚଳଗୁଡିକ ଜଳପ୍ଳାବିତ ହେବା ଆଶଙ୍କା ରହିଛି। ତାହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲାପାଳ ପୂର୍ଣ୍ଣ ପ୍ରସ୍ତୁତ ଓ ସତର୍କ ରହିବାକୁ ଏସଆରସି ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ଓ ବନ୍ୟା ପାଣି ଯଦି ଗ୍ରାମ ଓ ଜନବସତି ମଧ୍ୟକୁ ପ୍ରବେଶ କରେ ତେବେ ଜନସାଧାରଣଙ୍କୁ ସେଠାରୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଜରୁରୀକାଳୀନ ଭିତ୍ତିରେ ପଦକ୍ଷେପ ନେବା, ସେମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଏବଂ ରିଲିଫ କୋଡ ଭିତ୍ତିରେ ଅନ୍ୟାନ୍ୟ ମୌଳିକ ସାମଗ୍ରୀ ଯୋଗାଇଦେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ବର୍ଷା ଓବନ୍ୟା କାରଣରୁ ଯୋଗାଯୋଗ ଓ ସଡକର କ୍ଷତି ଘଟିଲେ ତାହାକୁ ତୁରନ୍ତ ମରାମତି କରାଯାଇ ପୁନଃବାହାଲ କରିବାକୁ ମଧ୍ୟ କୁହାଯାଇଛି।
