‘ଜୱାଦ’ ନେଇ ହାଇଆଲର୍ଟ : ବାତିଲ୍ ହେଲା ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି
ଭୁବନେଶ୍ୱର : ବାତ୍ୟା ‘ଜୱାଦ’ ନେଇ ସବୁଆଡେ ହାଇଆଲର୍ଟ ଜାରି ରହିଛି । ଏନେଇ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ସମସ୍ତ କର୍ମଚାରୀ ନିଜ ନିଜର ହେଡକ୍ବାର୍ଟର୍ସରେ ରହିବାକୁ ନିର୍ଦେଶ ଦିଆଯାଇଛି । ଏମିତିକି ଛୁଟିରେ ଥିବା କର୍ମଚାରୀ ମଧ୍ୟ ତୂରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ତେବେ ସବୁଥର ଭଳି ଏଥର ମଧ୍ୟ ଜିରୋ କାଜୁଆଲଟିକୁ ଗୁରୁତ୍ୱ ଦିଆଯାଇଛି । ୫ ତାରିଖ ରବିବାର ପଡୁଥିବା ବେଳେ ଛୁଟି ବାତିଲ କରାଯାଇଛି । ଛୁଟିରେ ଥିବା କର୍ମଚାରୀ ଛୁଟି ବାତିଲ ହୋଇଥିବା ବେଳେ କାର୍ଯ୍ୟାଳୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ସୂଚନା ଯେ, ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ଆଜି ପୂର୍ବାହ୍ନରେ ବାତ୍ୟାରେ ପରିଣତ ହୋଇଥିବା ନେଇ ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆଇଏମ୍ଡିର ସୂଚନା ଆଧାରରେ ଏସ୍ଆର୍ସି ପ୍ରଦୀପ ଜେନା କହିଛନ୍ତି ଯେ ବାତ୍ୟା ‘ଜୱାଦ’ ପୁରୀ ଜିଲ୍ଲାରେ ଉପକୂଳ ଛୁଇଁପାରେ। ୪ ତାରିଖ ସଂଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ। ସ୍ଥଳଭାଗ ଅଳ୍ପ ଛୁଇଁବା ପରେ ପୁଣି ସମୁଦ୍ରକୁ ଚାଲି ଯାଇପାରେ ବାତ୍ୟା। ଯଦି ଅଧିକ ଦିଗ ବଦଳାଏ, ତେବେ ହୁଏତ ସ୍ଥଳଭାଗ ନଛୁଇଁପାରେ। ଏହା ସ୍ଥଳ ଭାଗ ନ ଛୁଇଁ ଓଡ଼ିଶା ଉପକୂଳ ଦେଇ ଚାଲିଯାଇପାରେ। ବାତ୍ୟାର ପ୍ରଭାବ ପୁରୀ, ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ ରହିବ ବୋଲି ଏସ୍ଆର୍ସି କହିଛନ୍ତି।
