ଆଜି ୮ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା
- ୮ ଜିଲାକୁ ଅରେଞ୍ଜ ଓ ୯ ଜିଲାକୁ ୟେଲୋ ଓ୍ୱାର୍ଣ୍ଣଂ ଜାରି
- ୧୪ ଯାଏଁ ସମୁଦ୍ର ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ
ଭୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ସକାଳେ ପୂର୍ବ କେନ୍ଦ୍ରୀୟ ତତ୍ ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ସକ୍ରିୟ ରହିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବା ଅନୁମାନ କରାଯାଉଥିବା ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାର ପ୍ରଭାବରେ ଆଜି ଠାରୁ ୨ ଦିନ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ଆଭ୍ୟନ୍ତରିଣ ଓଡ଼ିଶାରେ ପ୍ରବଳ ବର୍ଷିବ ।
ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । ଆସନ୍ତା ୩ ଦିନ ପାଇଁ ବର୍ଷା ପାଇଁ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ରବିବାର ପାଇଁ ୧୭ଟି ଜିଲାକୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ୮ ଜିଲାକୁ ଅରେଞ୍ଜ ଓ ୯ ଜିଲାକୁ ୟେଲୋ ଓ୍ୱାର୍ଣ୍ଣଂ ଜାରି କରାଯାଇଛି । ସମ୍ବଲପୁର, ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱରକୁ ୟେଲୋ ଓ୍ୱାର୍ଣ୍ଣଂ ଓ ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକକୁ ଅରେଞ୍ଜ ଓ୍ୱାର୍ଣ୍ଣଂ ଜାରି କରାଯାଇଛି । ସେହିପରି ସମୁଦ୍ର ନିକଟସ୍ଥ ଅଞ୍ଚଳରେ ପ୍ରବଳ ବେଗରେ ପବନ ବୋହିପାରେ ବୋଲି ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ କହିଛନ୍ତି । ଏଥିଲାଗି ମତ୍ସ୍ୟଜୀବୀଙ୍କ ଲାଗି ସତର୍କ ସୂଚନା ଜାରି କରାଯାଇଛି । ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି । ବୃଷ୍ଟିପାତକୁ ଦୃଷ୍ଟିରେ ରଖି ସମସ୍ତ ଜିଲାପାଳ ଏବଂ ମହାନଗର ନିଗମ ଆୟୁକ୍ତ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସ୍ଆରସି) ପରାମର୍ଶ ଦେଇଛନ୍ତି। ସହରାଞ୍ଚଳ ତଳିଆ ଅଞ୍ଚଳରେ ପାଣି ଜମିବା, ଭୂସ୍ଖଳନ ଏବଂ ଗ୍ରାମାଞ୍ଚଳ ତଳିଆ ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଛି। ଜଳ ନିଷ୍କାସନ ଓ ଆବଶ୍ୟକ ପଡିଲେ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ଏସ୍ଆରସି ନିର୍ଦେଶ ଦେଇଛନ୍ତି। ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳ, ପଶ୍ଚିମ କେନ୍ଦ୍ରୀୟ ତତ୍ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଝଡ଼ ପବନ ହେବ। ଘଣ୍ଟା ପ୍ରତି ୪୫ରୁ ୫୫କିମି ବେଗରେ ପବନ ବହିବ।
