ଚେନ୍ନାଇରେ ବର୍ଷା ବିତ୍ପାତ: ରାସ୍ତାଘାଟ ଜଳମଗ୍ନ, ଘରେ ପଶିଲା ପାଣି
- ଦୁଇଦିନ ସ୍କୁଲ କଲେଜ ଛୁଟି, ଘରୁ ଥାଇ କାମ କରିବେ ସରକାରୀ କର୍ମଚାରୀ
ଚେନ୍ନାଇ: ଚେନ୍ନାଇରେ ଅବିଶ୍ରାନ୍ତ ବର୍ଷା ହେତୁ ଜନଜୀବନ ବିଶେଷ ପ୍ରଭାବିତ ହେଉଥିବା ଦୃଷ୍ଟିରୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ଚେନ୍ନାଇ, ତିରୁବଲ୍ଲୁର, କାଂଚୀପୁରମ୍ ଏବଂ ଚେଙ୍ଗଲପଟ୍ଟୁ ଜିଲ୍ଲାରେ ଥିବା ସ୍କୁଲ୍ ଓ କଲେଜ ସବୁ ସୋମବାର ଓ ମଙ୍ଗଳବାର ଛୁଟି ରହିବ ବୋଲି ଘୋଷଣା କରିଛନ୍ତି । ଉପରୋକ୍ତ ଜିଲ୍ଲାରେ ସରକାରୀ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ନିର୍ଦେଶ ଦିଆଯାଇଛି ।
ପ୍ରବଳ ବର୍ଷା ହେବାରୁ ସହରର ନିମ୍ନାଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଦକ୍ଷିଣ ଚେନ୍ନାଇର ମଦିପକ୍କମ ନିକଟସ୍ଥ ପୁଜିଥିୱାକ୍କମ୍ରେ ଥିବା କେତେକ ଆପାର୍ଟମେଂଟର ପାର୍କିଂ ଏରିଆରେ ୪ ଫୁଟର ବର୍ଷାପାଣି ଜମି ରହିଛି । ଫଳରେ କାର୍ଗୁଡ଼ିକ ପାଣିରେ ବୁଡ଼ି ରହିଛି । ଦୁଇଚକିଆ ଯାନ ଚାଲିବା ଅବସ୍ଥାରେ ନାହିଁ । କେ କେ ନଗର ଅଂଚଳର ବାସିନ୍ଦା ପାଣି ଭିତରେ ରହିଛନ୍ତି । ଆଣ୍ଠୁଏ/ଅଂଟାଏ ଉଚ୍ଚର ବର୍ଷାପାଣି ଜମିରହିବା ଫଳରେ ଅଧା କାମ ହୋଇଥିବା ସ୍ୱେରେଜ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି । କେତେକ ସ୍ଥାନରେ ଡ୍ରେନ୍ ଜାମ୍ ହେବା ଫଳରେ ବର୍ଷାପାଣି ନିଷ୍କାସନ ହୋଇପାରୁ ନାହିଁ । ବର୍ଷା ଲାଗି ରହିଥିବାରୁ ବିଦ୍ୟୁତ୍ ସେବା ବ୍ୟାହତ ହୋଇଛି । ଲୋକେ ପିଇବା ପାଇଁ ପାଣି ପାଉ ନାହାନ୍ତି । ତାମିଲନାଡ଼ୁର ଉତର ଉପକୂଳବର୍ତୀ ଅଂଚଳରେ ଲାଗି ରହିଥିବା ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଚେନ୍ନାଇ ଓ ଅନ୍ୟ ୩ଟି ଜିଲ୍ଲାର ସ୍କୁଲ ଏବଂ କଲେଜଗୁଡ଼ିକୁ ଆଗାମୀ ଦୁଇଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଭୀଷଣ ବର୍ଷା ଚେତାବନୀ ଦିଆଯିବା ପରେ ଚେନ୍ନାଇ, ତିରୁବଲ୍ଲୁର, ଚେଙ୍ଗଲପଟ୍ଟୁ, କାଂଚିପୁରମ୍ ଆଦି ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଛୁଟି କରିଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଚେନ୍ନାଇର ପଡ଼ି, ପୁରସୱାଲ୍କମ୍ ଏବଂ କୋଲତୁର ଅଂଚଳ ଗସ୍ତ କରିବା ପରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ବର୍ଷା ବିତ୍ପାତଜନିତ ଯେକୌଣସି ଜରୁରୀକାଳୀନ ପରିସ୍ଥିତି ନିମନ୍ତେ ପ୍ରଶାସନ ପ୍ରସ୍ତୁତ ରହିଛି । ଜରୁରୀକାଳୀନ ସେବା ପାଇଁ ମଦୁରାଇ ଏବଂ କୁଡ୍ଡାଲୋର୍ ଜିଲ୍ଲାରେ ‘ଏନ୍ଡିଆର୍ଏଫ୍’ର ୪ଟି ଟିମ୍ ମୁତୟନ କରାଯାଇଛି । ରବିବାର ସକାଳ ଠାରୁ ୪୪ଟି ଥଇଥାନ କେନ୍ଦ୍ରରେ ୫୦,୦୦୦ ଖାଦ୍ୟ ପୁଡ଼ିଆ ବଂଟନ କରାଯାଇଛି । ଆଗାମୀ ୩ ଦିନ ପାଇଁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କଥା ପାଣିପାଗ ବିଭାଗ କହିଥିବାରୁ ଗସ୍ତ ଯୋଜନା ବନ୍ଦ ରଖିବା ଲାଗି ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଷ୍ଟାଲିନ୍?ଙ୍କ ସହ ଫୋନ୍ ଯୋଗେ କଥାବାର୍ତା କରି ରାଜ୍ୟବାସୀଙ୍କ ପାଇଁ ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
