ଚେନ୍ନାଇରେ ପ୍ରବଳ ବର୍ଷା, ୩ ଜଣ ମୃତ
ଚେନ୍ନାଇ : ଦେଶର କିଛି ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ତାମିଲନାଡୁର ରାଜଧାନୀ ଚେନ୍ନାଇ ସହର ମଧ୍ୟ ଏଥିରେ ସାମିଲ ଅଛି। ପ୍ରବଳ ବର୍ଷା କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ଆଞ୍ଚଳିକ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି। ଆନ୍ନା ନାଗାଟୋ ଅଞ୍ଚଳରେ ଏକ ସପିଂ ମଲ୍ର ଛାତର କିଛି ଅଂଶ ଭୁଶୁଡ଼ିପଡ଼ିଛି। ବର୍ଷା ଯୋଗୁଁ ସଡ଼କ ଓ ତଳିଆ ଅଞ୍ଚଳରେ ସଙ୍କଟ ପରିସ୍ଥିତି ଦେଖାଯାଇଛି। ସଡ଼କରେ ପାଣି ଭର୍ତ୍ତି ହେବା ପରେ ମାଉଣ୍ଟ ରୋଡ ସମେତ ଅନେକ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମ ହୋଇଛି। ପ୍ରବଳ ବର୍ଷା ମଧ୍ୟରେ ଚେମ୍ବ୍ରାମ୍ବକ୍କମ ଡ୍ୟାମ୍ରୁ ୧୦୦୦ କ୍ୟୁସେକ୍ ପାଣି ଛଡାଯାଇଛି। ଫଳରେ ଚେନ୍ନାଇବାସୀଙ୍କ ପାଇଁ ରେଡ ଆଲର୍ଟ ଜାରି ହୋଇଛି।
ଓରେଟୀରେ ଜଣେ ୭୦ ବର୍ଷୀୟ, ମାୟଲାପୁରରେ ୧୩ ବର୍ଷୀୟ ବାଳକ ଓ ପୁଲିୟାଥୋପରେ ୪୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। କୁହାଯାଉଛି ଯେ ରୋୟାପେଟ୍ଟାହରେ ଅନ୍ନାଦ୍ରମୁଖ ପାର୍ଟିର ମୁଖ୍ୟ କାର୍ଯ୍ୟାଳୟ ଜଳମଗ୍ନ ହୋଇଛି। କିଛି ସଡ଼କ ଉପରେ ୩ଫୁଟ ଉଚ୍ଚର ଜଳପ୍ରବାହିତ ହୋଇଛି। ଫଳରେ ଯାତାୟତରେ ବ୍ୟାପକ ଅସୁବିଧା ହୋଇଛି।
