ରାଜ୍ୟରେ ଆଜି ପ୍ରବଳ ବର୍ଷା, ୭ଟି ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ରାଜ୍ୟର କିଛି ସ୍ଥାନରେ ଆଜି ମଧ୍ୟ ବର୍ଷା ହେବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି । କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଅଧିକ ବର୍ଷା ସମ୍ଭାବନା ରହିଥିବାରୁ ଏହି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ଆଜି ମଧ୍ୟାହ୍ନ ପରେ ପଶ୍ଚିମ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ଖୋର୍ଦ୍ଧା ସମେତ ନୟାଗଡ଼ ଓ ଗଞ୍ଜାମରେ ବର୍ଷା ଆଶଙ୍କା ରହିଛି । ଅନୁଗୁଳ, ଦେବଗଡ଼ ଓ କେନ୍ଦୁଝରରେ ବର୍ଷା ହୋଇପାରେ ।
ଚାଷ ପାଇଁ ପୁଣି କାଳ ସାଜିଛି ଅଦିନିଆ ବର୍ଷା। ଅମଳ ସମୟରେ ଧାନ ଉଜାଡ଼ିଥିଲା। ଆଉ ଏବେ ପନିପରିବା ବି ଉଜାଡ଼ିଛି। ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଉଦ୍ୟାନ କୃଷି ଚାଷ ଗୁରୁତର ଭାବେ ପ୍ରଭାବିତ ହୋଇଛି। କେଉଁଠି ପନିପରିବା ଚାଷ ହୋଇଥିବା ଜମିରେ ପାଣି ଜମି ରହିଛି ତ ଆଉ କେଉଁଠି କୋବିକୁ ମାଡ଼ କରିଛି କୁଆପଥର। ବଡ଼ ବଡ଼ କୁଆପଥର ପଡ଼ିବାରୁ ପଶ୍ଚିମ ଓଡ଼ିଶାର ଏକର ଏକର ଜମିରେ ଚାଷ ହୋଇଥିବା ପିଆଜ ପଚିଯାଇଛି। ଉପକୂଳ ଓଡ଼ିଶାରେ ଧାଳ ଅମଳ ବି ବିଳମ୍ବିତ ହୋଇଛି। କେତେକ ସ୍ଥାନରେ ମଣ୍ଡିରେ ଜମା ହୋଇ ରହିଥିବା ଧାନ କୁଆପଥର ବର୍ଷା ମାଡ଼ ଖାଉଥିବାରୁ ଚାଷୀ ଏବେ ମୁଣ୍ଡରେ ହାତ ଦେଇଛି। କୁଆପଥର ବର୍ଷାର ମାତ୍ରା ଏବେ ଭୟଙ୍କର ଥିଲା ଯେ ନବରଙ୍ଗପୁରରେ ଲୋକଙ୍କ ଚାଷ ଛପର ଘର ମଧ୍ୟ ଭାଙ୍ଗି ଦେଇଛି। ରାସ୍ତା ଉପରେ ୨ରୁ ୩ ଇଞ୍ଚ୍ର କୁଆପଥର ଗଦା ହୋଇପଡ଼ିଥିବା ନଜରକୁ ଆସିଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ୧୭ଟି ଜିଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ। କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ। ସ୍ଥାନେ ସ୍ଥାନେ ୬୦ରୁ ୧୧୦ ମିମି ପର୍ଯ୍ୟନ୍ତ ବର୍ଷା ହେବାରୁ ଥିବାରୁ ରାଜ୍ୟରେ କୃଷି କ୍ଷେତ୍ର ଉପରେ ପ୍ରଭାବ ପଡ଼ିବ। ୧୭ଟି ଜିଲାରେ ଅଧିକ ପ୍ରଭାବ ପଡ଼ିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟ ମଧ୍ୟରେ ଚାଷୀମାନେ ସତର୍କତା ଅବଲମ୍ବନ କରିବା ସହ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।
ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ୧୩ ତାରିଖ ସକାଳ ସୁଦ୍ଧା ଉପକୂଳ ଓଡ଼ିଶାର ସମସ୍ତ ଜିଲା ସମେତ କନ୍ଧମାଳ, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ଢେଙ୍କାନାଳ, ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ତେବେ ପରବର୍ତୀ ୨୪ ଘଣ୍ଟା ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ। କାରଣ ଏହି ସମୟରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୁଳ, ଢେଙ୍କାନାଳ, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ନୟାଗଡ଼, କଟକ ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ୧୪ ତାରିଖ ସକାଳଠାରୁ ୧୫ ତାରିଖ ସକାଳ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ନୟାଗଡ଼, ଖୋର୍ଧା, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
