୧୩ରୁ ବଢ଼ିବ ତାତି, ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା
ଭୁବନେଶ୍ୱର : ତାତିରେ ସିଝୁଛି ରାଜ୍ୟର ଅଧିକାଂଶ ସହର। ଅସହ୍ୟ ତାତି ସାଙ୍ଗକୁ ଝାଞ୍ଜିମାଡରେ କଲବଲ ହେଲେଣି ଲୋକେ । ଖରା ସାଙ୍ଗକୁ ଝାଞ୍ଜି ପବନ ମାଡ଼ ଏବେ ଆହୁରି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଏପରିକି ଦିନ ୯ଟାରୁ ଖରାର ପ୍ରକୋପ ଏତେ ରହୁଛି ଯେ ବାହାରକୁ ବାହାରିବା ହେଉଛି ମୁସ୍କିଲ । ସେହିପରି ଆସନ୍ତା ୧୩ ତାରିଖରୁ ରାଜ୍ୟରେ ତାତି ଆହୁରି ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି, ୧୧ ଓ ୧୨ ତାରିଖ ଦୁଇ ଦିନ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ୧ଡିଗ୍ରୀ ବଢ଼ିବ । ଆସନ୍ତା ୧୩ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବ । ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ୧୩ରୁ ୧୮ ତାରିଖ ଯାଏ ତାପମାତ୍ରା ୩ଡିଗ୍ରୀ ଯାଏ ବଢ଼ିପାରେ । କଳାହାଣ୍ଡି, ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ଜିଲାରେ ତାତି ବୃଦ୍ଧି ପାଇବ । ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ମୟୂରଭଞ୍ଜ ଓ ସମ୍ବଲପୁର ଜିଲାରେ ଆସନ୍ତା ୧୭ ତାରିଖ ଯାଏ ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ । ଉପକୂଳ ଓଡ଼ିଶାରେ ୧୪ରୁ ୧୬ ତାରିଖ ତିନି ଦିନ ଭିତରେ ଭୁବନେଶ୍ୱର ତାପମାତ୍ରା ୫ ଡିଗ୍ରୀ ବଢ଼ିପାରେ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି । ରାଜଧାନୀର ତାପମାତ୍ରା ୪୨ଡିଗ୍ରୀ ପାର୍ କରି ଯାଇପାରେ ବୋଲି ସେ କହିଛନ୍ତି । କାଳବୈଶାଖୀ ପ୍ରଭାବରେ ଆସନ୍ତା ୧୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ ଓ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
