ସିଝୁଛି ସାରା ଓଡିଶା, ୪୦ ଉପରେ ୨୨ ସହର
Hot summer or heat wave background, glowing sun on orange sky with thermometer
ରାଜଧାନୀ ଭୁବନେଶ୍ୱରରେ ରେକର୍ଡ ତାତି
ଭୁବନେଶ୍ୱର : ଚଢୁଛି ପାରଦ । ପ୍ରବଳ ତାତିରେ ସିଝୁଛି ସାରା ଓଡିଶା । ଆକାଶରୁ ନିଆଁ ବର୍ଷୁଛି । ଦିନ ୧୧ ଟା ପରେ ଘରୁ ବାହାରିବା କଷ୍ଟକର ହେଇଯାଉଛି । ଏହାରିମଧ୍ୟରେ ୪୧ ଡିଗ୍ରୀ ଛୁଇଁଛି ଟ୍ୱିନ୍ ସିଟି । ଭୁବନେଶ୍ୱରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୧.୭ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି କଟକରେ ୪୧ ଡିଗ୍ରୀ ରେକର୍ଡ ହୋଇଛି । ଆଜି ରାଜ୍ୟର ସବୁଠୁ ଉତପ୍ତ ସହର ହୋଇଛି ଅନୁଗୋଳ । ଏଠାରେ ଦିନର ସର୍ବାଧିକ ତାପମାତ୍ରା ୪୨.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏହା ପଛକୁ ୪୧.୭ ଡିଗ୍ରୀ ସହ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି । ରାଜ୍ୟ ସାରା ଏବେ ଅସହ୍ୟ ଖରା ହେଉଥିବା ବେଳେ ଶନିବାର ୨୨ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ଏହାଠୁ ଅଧିକ ରେକର୍ଡ କରାଯାଇଛି । ସେଥିରୁ ୯ଟି ସ୍ଥାନର ତାପମାତ୍ରା ୪୧ ଡିଗ୍ରୀ ବା ଏହା ଉପରେ ରହିଛି । ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୧.୭ ଡିଗ୍ରୀ ରେକର୍ଡ କରାଯାଇଛି । ଶନିବାର ଦିନ ସାଢେ ୨ ଟା ବେଳକୁ ରାଜଧାନୀର ତାପମାତ୍ରା ୪୧.୨ ଡିଗ୍ରୀ ଛୁଇଁଥିଲା । ଚଳିତ ବର୍ଷ ଏହା ହେଉଛି ରାଜଧାନୀର ସର୍ବୋଚ୍ଚ ତାପମାତ୍ରା । ଏହା ପୂର୍ବରୁ ଭୁବନେଶ୍ୱରରେ ଗତକାଲି ତାପମାତ୍ରା ୪୦.୮ ଡ଼ିଗ୍ରୀ ରେକର୍ଡ କରାଯାଇଥିଲା । ଗତ ୧୮ ତାରିଖରେ ୪୦.୨ ଡ଼ିଗ୍ରୀ ରେକର୍ଡ କରାଯାଇଥିଲା । ସେହିଭଳି ସିଲଭର ସିଟି କଟକର ତାପମାତ୍ରା ଆଜି ୪୧ ଡିଗ୍ରୀ ଛୁଇଁଛି । ସେହିପରି କଟକ ୪୧, ବାରିପଦା ୪୧, ବଲାଙ୍ଗିର ୪୧, ପାରଳାଖେମୁଣ୍ଡିରେ ୪୧ ଡିଗ୍ରୀ , ଢେଙ୍କାନାଳ ୪୧.୫ ଡିଗ୍ରୀ , ଦେବଗଡ଼ ୪୧.୫, ବୌଦ୍ଧ ୪୧.୫, ସୋନପୁର ୪୦.୭ , ଚାନ୍ଦବାଲି ୪୦.୩, ଝାରସୁଗୁଡ଼ା ୪୦.୩ ସମ୍ବଲପୁର ୪୦.୫, ସୁନ୍ଦରଗଡ଼ରେ ୪୦, ଭାବନୀପାଟଣା ୪୦, ଟିଟଲାଗଡ଼ ୪୦.୪, ତାଳତେର ୪୦.୩, ଭଦ୍ରକ ୪୦.୫ ,ଯାଜପୁର ୪୦.୨, ନୂଆପଡ଼ା ୪୦.୨, ଜଗତସିହଂପୁର ୪୦.୨ ତାପମାତ୍ରା ରେକର୍ଡ ହୋଇଛି ।
