ଭାରତ ଫେରିଲେ ୟୁକ୍ରେନରେ ଗୁଳିମାଡର ଶିକାର ହୋଇଥିବା ହରଜୋତ
ନୂଆଦିଲ୍ଲୀ : ଋଷ-ୟୁକ୍ରେନର ଘମାଘୋଟ ଯୁଦ୍ଧ ଭିତରେ ଭାରତ ଫେରିଲେ ହରଜୋତ ସିଂ । ଗୁଳିମାଡର ଶିକାର ହୋଇଥିଲେ ପଞ୍ଜାବର ହରଜୋତ । ପରେ କିଭ୍ ହସ୍ପଟାଲରେ ଥାଇ ସେ ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ସେ ଭାରତୀୟ ଦୂତାବାସ ଉପରେ ଅଭିଯୋଗ ଆଣିଥିଲେ। ଭିଡିଓଟି ଭାରତ ସରକାରଙ୍କ ନଜରକୁ ଆସିବା ପରେ ସେ ପଦକ୍ଷେପ ନେଇଥିଲେ। ସେଠାରୁ ହରଜୋତଙ୍କୁ ଉଦ୍ଧାର ପାଇଁ ଭାରତୀୟ ଦୂତାବାସକୁ ଅନୁମତି ଦେଇଥିଲେ । ସୂଚନା ଅନୁସାରେ ଦିଲ୍ଲୀର ଛତ୍ରପୁର ଅଞ୍ଚଳର ବାସିନ୍ଦା ହରଜୋତ ୟୁକ୍ରେନର ଲଭିଭ ଅଞ୍ଚଳରେ ପହଞ୍ଚିବାକୁ ଚେଷ୍ଟା କରୁଥିବା ବେଳେ ଗୋଟିଏ ପରେ ଗୋଟିଏ କରି ତିନିଟି ଗୁଳି ତାଙ୍କ ଦେହରେ ବାଜିଥିଲା । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇ ନିଜ ଦେଶକୁ ଫେରୁଛନ୍ତି। ହରଜୋତ ସିଂ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଫସି ଯାଇଥିଲେ।
ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ନିରନ୍ତର ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଉଦ୍ଧାର କାର୍ଯ୍ୟ ପ୍ରକ୍ରିୟା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିସହିତ ଗୁଳି ବାଜିଥିବା ଭାରତୀୟ ଛାତ୍ର ହରଜୋତ ସିଂଙ୍କୁ ମଧ୍ୟ ୟୁକ୍ରେନରୁ ଅଣାଯାଉଛି। ହରଜୋତ ସିଂଙ୍କୁ ତିନିଟି ଗୁଳି ବାଜିଥିଲା, ଚିକିତ୍ସା ପରେ ତାଙ୍କୁ ସୁରକ୍ଷିତ ଭାବେ ୟୁକ୍ରେନରୁ ବାହାର କରାଯାଇଛି। କେନ୍ଦ୍ରମନ୍ତ୍ରୀ ଭି.କେ ସିଂ ଟ୍ୱିଟ୍ କରି ହରଜୋତ ସିଂଙ୍କ ଭାରତ ଫେରିବାକୁ ନିଶ୍ଚିତ କରିଥିଲେ । କିଭରୁ ଯାଉଥିବା ସମୟରେ ଗୁଳି ମାଡ଼ରେ ଆହତ ହୋଇଥିବା ଭାରତୀୟ ନାଗରିକ ହରଜୋତ ସିଂ ଆମ ସହ ଭାରତ ଫେରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ସେପଟେ ୟୁକ୍ରେନର ସୁମି ସହରରୁ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ଦୁଇ ରାଷ୍ଟ୍ରଙ୍କୁ ସହାୟତା ଲୋଡିଛନ୍ତି । ଭାରତ ସରକାରଙ୍କ ଗଙ୍ଗା ମିଶନଦ୍ୱାରା ଉଦ୍ଧାର ହେଉଛନ୍ତି ଭାରତୀୟ ଛାତ୍ର । କେବେ ଥମିବ ଏହି ଦୁଇ ରାଷ୍ଟ୍ରର ରଣଯୁଦ୍ଧ ତାହା ଉପରେ ସାରା ବିଶ୍ୱର ରହିଛି ନଜର ।
