ହରିଦ୍ୱାର ଗଙ୍ଗା ସ୍ନାନ ବନ୍ଦ
ନୂଆଦିଲ୍ଲୀ : ହରିଦ୍ୱାରରେ ହେବାକୁ ଥିବା ଗଙ୍ଗା ସ୍ନାନ ବନ୍ଦ । ଜୁନ୍ ୨୦ ଏବଂ ଜୁନ୍ ୨୧ରେ ଗଙ୍ଗା ଦଶହରା ଏବଂ ନିର୍ଜଳା ଏକାଦଶୀ ଅବସରରେ ଅନୁଷ୍ଠିତ ହେବାକୁ ଯାଉଥିବା ଗଙ୍ଗା ସ୍ନାନକୁ କରୋନା ମହାମାରୀ କାରଣରୁ ରଦ୍ଦ କରିଦିଆଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ହେତୁ ଭକ୍ତମାନେ ବହୁ ସଂଖ୍ୟାରେ ହରିଦ୍ୱାରକୁ ଆସୁଥିବା ଦେଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ।
ବରିଷ୍ଠ ପୋଲିସ୍ ଅଧୀକ୍ଷକ ଡି ସେଣ୍ଟିଲ୍ ଅବୁଦାଇ କୃଷ୍ଣରାଜ ଏସ୍ କହିଛନ୍ତି ଯେ ଜୁନ୍ ୨୦ ଏବଂ ୨୧ରେ ବାହାର ରାଜ୍ୟରୁ ଭକ୍ତମାନେ ହରିଦ୍ୱାରକୁ ଆସିବା ଉଚିତ୍ ନୁହେଁ। କରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଥିବାରୁ ଲୋକମାନେ ଘରେ ରହିବା ଉଚିତ । ଗଙ୍ଗା ଦଶହରା ଏବଂ ନିର୍ଜଳା ଏକାଦଶୀ ସ୍ନାନ ପର୍ବରେ ହର କି ପୌରୀ ଘାଟରେ ଏକ ସାଙ୍କେତିକ ସ୍ନାନ ହେବ । ଏହି ସାଙ୍କେତିକ ସ୍ନାନରେ, କେବଳ ତୀର୍ଥ ପୁରୋହିତ ଏବଂ ଗଙ୍ଗା ସଭାର ଅଧିକାରୀମାନେ ସ୍ନାନ କରିପାରିବେ । ହର୍ କି ପୌରୀ ଏବଂ ଅନ୍ୟାନ୍ୟ ଘାଟରେ ସାଧାରଣ ଭକ୍ତମାନେ ପବିତ୍ର ବୁଡ଼ ପକାଇବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ। ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ନିୟମ ଭାଙ୍ଗି ବୁଡ଼ ପକାଇବାକୁ ଆସିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି। ସୋସିଆଲ ମିଡିଆ ମାଧ୍ୟମରେ ହରିଦ୍ୱାର ପୁଲିସ ମଧ୍ୟ ଏହି ନିୟମ ବିଷୟରେ ଭକ୍ତମାନଙ୍କୁ ସୂଚନା ଦେଉଛି। ବର୍ତ୍ତମାନ କେବଳ ସ୍ଥାନୀୟ ଭକ୍ତମାନେ ମନ୍ଦିରରେ ଦର୍ଶନ ପାଇଁ ଆସୁଛନ୍ତି ।
