ଆଜିଠୁ ‘ହର୍ ଘର ଦସ୍ତକ’ : ଘରକୁ ଘର ଯିବେ ସ୍ୱାସ୍ଥ୍ୟକର୍ମୀ, ଡିସେମ୍ବର ସୁଦ୍ଧା ଶତ ପ୍ରତିଶତ ଟିକାକରଣ ଲକ୍ଷ୍ୟ
ଭୁବନେଶ୍ୱର : ରାଜ୍ୟରେ ଆଜିଠୁ ଆରମ୍ଭ ହେବ ‘ଘର ଘର ଦସ୍ତକ’ ଟିକାକରଣ କାର୍ଯ୍ୟକ୍ରମ । କୋଭିଡ୍ ଟିକା ନେଇ ନ ଥିବା ବ୍ୟକ୍ତିଙ୍କ ଚିହ୍ନଟ ଅଭିଯାନ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସମ୍ମୁଖ ଯୋଦ୍ଧା ତଥା ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ, ନର୍ସ, ଏସଏଚଜି ଗ୍ରୁପଙ୍କ ସହଯୋଗରେ ଯେଉଁମାନେ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ନେଇନାହାନ୍ତି ତାଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରାଯିବ। ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ବ୍ୟକ୍ତି ଦ୍ବିତୀୟ ଡୋଜ ନେଇ ନାହାନ୍ତି । ଏହି ମାସ ଶେଷ ସୁଦ୍ଧା ଦ୍ବିତୀୟ ଡୋଜ୍ ଡ୍ୟୁ ହୋଇ ସାରିଥିବା ଲୋକଙ୍କ ଶତ ପ୍ରତିଶତ ଟିକାକରଣ ଦିଆ ଯାଇପାରିବ। ସେହିପରି ଡିସେମ୍ବର ଶେଷ ସୁଦ୍ଧା ପ୍ରଥମ ଡୋଜ ଟିକାକରଣ ସରିବ ବୋଲି କହିଛନ୍ତି। ଏହାଛଡ଼ା ଏଣିକି ଯେଉଁ ଗାଁର ଲୋକସଂଖ୍ୟା ଅଧିକ, ସେଠି ଟିକାକରଣ କେନ୍ଦ୍ରର ସଂଖ୍ୟା ବଢ଼ାଯିବ ବୋଲି ସେ କହିଛନ୍ତି।
ରାଜ୍ୟରେ ଏବେ ବି ୩୦ ଲକ୍ଷରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି । ସେମାନଙ୍କ ସମୟ ହୋଇଯାଇଥିଲେ ମଧ୍ୟ କୌଣସି କାରଣରୁ ସେମାନେ ଟିକା ନେବାକୁ ଆସୁନାହାନ୍ତି । ବର୍ତ୍ତମାନ ସୁଦ୍ଧା ୩ କୋଟି ୭୨ ହଜାର ଡୋଜ୍ ଟିକା ରାଜ୍ୟରେ ଦିଆସରିଲାଣି । ୨ କୋଟି ୫୭ ଲକ୍ଷ ଲୋକଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ ୧ କୋଟି ୧୫ ଲକ୍ଷ ଲୋକ ଉଭୟ ଡୋଜ୍ ନେଇ ସାରିଲେଣି । ରାଜ୍ୟରେ ପାଖାପାଖି ୭୯% ଲୋକ ଟିକା ଅତିକମ୍ରେ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି । ‘ହର ଘର ଦସ୍ତକ ଅଭିଯାନ’ ଆରମ୍ଭ ହେଲେ ରାଜ୍ୟରେ ଟିକାକରଣ ବଢ଼ିବ । ଡିସେମ୍ବର ମାସ ସୁଦ୍ଧା ୧୦୦% ଟିକାକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ବଡ଼ ବଡ଼ ଗାଁ ରେ ଏଣିକି ଟିକାକରଣ କେନ୍ଦ୍ର ଖୋଲିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି । ରାଜ୍ୟରେ ୧୬୦୦ ଟିକାକରଣ କେନ୍ଦ୍ରରେ ଦୈନିକ ୪ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରହିଛି । ସୋମବାର ରାଜ୍ୟରେ ୩୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନମୁନା ପରୀକ୍ଷଣ ୬୩ହଜାର୬୫୧କୁ କମିଛି । ଅର୍ଥାତ ୦.୫%କୁ ଖସିଛି ପଜିଟିଭ୍ ହାର । ବଲାଙ୍ଗୀରରେ ୧୦, କଟକରୁ ୩୨, ଖୋର୍ଦ୍ଧାରେ ୧୫୨, ମୟୂରଭଞ୍ଜରେ ୨୮କୁ ଛାଡ଼ିଦେଲେ ସବୁଠି ସଂଖ୍ୟା ୧୦ ତଳେ ରହିଛି । ଅନୁଗୁଳ, ବରଗଡ଼, ବୌଦ୍ଧ, ଦେବଗଡ଼, କେନ୍ଦୁଝର, କୋରାପୁଟ୍, ନବରଙ୍ଗପୁର ଓ ନୂଆପଡ଼ା । ଏହି ୮ ଜିଲ୍ଲାରୁ ସୋମବାର ନମୁନା ପରୀକ୍ଷା ହୋଇଥିଲେ ମଧ୍ୟ ଜଣେ ବି ରୋଗୀ ଚିହ୍ନଟ ହୋଇ ନାହାନ୍ତି । ଏହି ଜିଲ୍ଲାଗୁଡ଼ିକରେ କରୋନା ଶୂନ୍ୟ ରହିଛି । ଏପଟେ ୩ ଜଣ କରୋନାରେ ଆଖି ବୁଜିଛନ୍ତି । ମୃତକଙ୍କ ମଧ୍ୟରେ ଅନୁଗୁଳ,ବାଲେଶ୍ୱର ଓ ଗଞ୍ଜାମରୁ ଜଣେ ଲେଖାଁଏ ରହିଛନ୍ତି ।
