ବସ୍କୁ ପିଟିଲା ହାଇୱା, ୪ ମୃତ
ଝାରସୁଗୁଡ଼ା : ସମ୍ବଲପୁର- ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ୍କୁ ପିଟିଲା ହାଇୱା। ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ଝାରସୁଗୁଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ସମ୍ୱଲପୁର ଜିଲା ଖେରୁଆଲ ନିକଟରେ ରହିଛି ଜେଏସଡବ୍ଲୁ କାରଖାନା। ଏହି କାରଖାନାର ୩୦ରୁ ୩୫ ଜଣ ଶ୍ରମିକ କାମ ସାରି ଏକ ବସ୍ରେ ଝାରସୁଗୁଡ଼ା ଅଭିମୁଖେ ଫେରୁଥିଲେ। ତେବେ ସମ୍ବଲପୁର- ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେରେ ନିଖିଲ ଢ଼ାବା ନିକଟରେ ଥିବା ବୁଲାଣି ରାସ୍ତାରେ ସମ୍ମୁଖରୁ ଆସୁଥିବା ହାଇୱା ଗାଡିଟି ବସ୍କୁ ପିଟି ଦେଇଥିଲା। ଫଳରେ ବସ୍ ଭିତରେ ଥିବା ଶ୍ରମିକମାନେ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୪ ଜଣ ଶ୍ରମିକଙ୍କ ମୃତ ଘୋଷଣା କରିଥିଲେ। ସେହିପରି ଗୁରୁତର ଥିବା ୧୦ ଶ୍ରମିକଙ୍କୁ ସେଠାରେ ଚିକିତ୍ସା କରାଯାଉଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଜେଏସଡବ୍ଲୁ କାରଖାନାର ଉଚ୍ଚ ପଦସ୍ଥ କର୍ମଚାରୀମାନେ ମେଡ଼ିକାଲ୍ରେ ପହଞ୍ଚିଛନ୍ତି। ଆହତ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି, ଡାକ୍ତରଙ୍କୁ ପଚାରି ବୁଝୁଛନ୍ତି। ଆବଶ୍ୟକ ପଡ଼ିଲେ ଗୁରୁତର ଶ୍ରମିକଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇପାରେ ବୋଲି ମତପ୍ରକାଶ ପାଇଛି।
