ଗୁଣି ଗାରେଡି ସନ୍ଦେହରେ ପ୍ରଜାକୋର୍ଟ : ପରିବାରକୁ ମରଣାନ୍ତକ ଆକ୍ରମଣ ସହ ଲକ୍ଷେ ଟଙ୍କା ଜରିମାନା
ବାଲେଶ୍ଵର : ଏବେବି ଅନ୍ଧ ବିଶ୍ଵାସର ଅନ୍ଧ ଗଳିରେ ମଣିଷ। ଗୁଣି ଗାରେଡି ସନ୍ଦେହ ପରିବାରକୁ ମରଣାନ୍ତକ ଆକ୍ରମଣ ସହ ଲକ୍ଷେ ଟଙ୍କାର ଜରିମାନା । ଏଭଳି ଏକ ଅଭାବନୀୟ ଘଟଣା ନୀଳଗିରି ଅଂଚଳରେ ଦେଖିବାକୁ ମିଳିଛି । ବରହମପୁର ଥାନା ପୁଟିବନ୍ଧ ଗ୍ରାମର ଘାସିରାମ ସିଂଙ୍କ ପରିବାରକୁ ହୁଡିସାହି ଗ୍ରାମ ମଝିରେ ପ୍ରଜାକୋର୍ଟ କରି ଉଭୟ ପୁଟୀବନ୍ଧ ଓ ହୁଡିସାହି ଗ୍ରାମର ଲୋକଙ୍କ ମିଳିତ ମରଣାନ୍ତକ ଆକ୍ରମଣ କରିବା ସହ ଲକ୍ଷେ ଟଙ୍କାର ଜରିମାନା କରିଛନ୍ତି। ଘାସିରାମଙ୍କୁ ଡାହାଣୀ ଓ ଗୁଣିଗାରେଡି କରୁଥିବା ସନ୍ଦେହ କରି ଆଜି ସକାଳୁ ହୁଡିସାହି ରେ ଏକ ପ୍ରଜାକୋର୍ଟ କରୁଥୁବା କହି ଗ୍ରାମବାସୀ ଘାସିରାମ ସମେତ ପରିବାରର ଅନ୍ୟଙ୍କୁ ଡାକିନେଉଥିଲେ । ପରେ ହଠାତ ଆକ୍ରମଣ କରିବା ସହ ଲକ୍ଷେଟଙ୍କା ଜରିମାନା କରିଛନ୍ତି ଲୋକେ। ଏନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇବା ସହ ବରହମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଏହି ଘଟଣାରେ ୩ଜଣ କ୍ଷତାକ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବରହମପୁର ଥାନା ତେଲିପାଳ ନିକଟସ୍ଥ ପୁଟିବନ୍ଧ ଗାଁର ଘାସିରାମ ସିଂ(୬୫) ନାମକ ବୃଦ୍ଧ ଗୁଣି ଗାରେଡ଼ି କରି ଅଞ୍ଚଳ ଲୋକଙ୍କ ଦେହ ଅସୁସ୍ଥ କରାଉଥିବା ନେଇ ଗ୍ରାମବାସୀ ସନ୍ଦେହ କରିଥିଲେ। ଏନେଇ ହୁଡ଼ିସାହି ଓ ପୁଟିବନ୍ଧ ଗାଁର ୩୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ ଶନିବାର ସକାଳେ ଏକ ପ୍ରଜାକୋର୍ଟ ବସିଥିଲା। ଏହି ପ୍ରଜାକୋର୍ଟରେ ଉକ୍ତ ବୃଦ୍ଧଙ୍କୁ ୯୫ହଜାର ଟଙ୍କା ଜରିମାନା କରାଯାଇଥିଲା। ଏଥିରେ ପ୍ରତିବାଦ କରିବାରୁ ବୃଦ୍ଧଙ୍କ ପୁଅ ପଣ୍ଡା ସିଂ, ମୁନସି ସିଂ ଓ ପଡ଼ୋଶୀ ଦୁକୁଡୁ ସିଂକୁ ନିସ୍ତୁକ ମାଡ଼ ମରାଯାଇ କ୍ଷତାକ୍ତ କରାଯାଇଛି। ସମ୍ପ୍ରତି ଗାଁ ରେ ପରିସ୍ଥିତି ଉତେଜନା ରହିଛି। ଥାନା ଓଆଇସି ହେମନ୍ତ ମାଝୀ ଦିନ ୧୨ଟା ରେ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି। କ୍ଷତାକ୍ତ ହୋଇଥିବା ଲୋକଙ୍କୁ ଗୁରୁତର ଅବସ୍ଥାରେ ବରହମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
