ଆଇପିଏଲ-୨୦୨୨ : ୫ମ ବିଜୟ ସହ ଟେବୁଲ ଶୀର୍ଷରେ ଗୁଜୁରାଟ
ପୁଣେ : ଆଇପିଏଲ-୨୦୨୨ ଚଳିତ ସିଜିନରେ ନୂଆ କରି ଗଠନ ହୋଇଥିବା ଗୁଜୁରାଟ ଟାଇଟନ୍ସର ଆଧିପତ୍ୟ ଜାରି ରହିଛି । ଗୋଟିଏ ପରେ ଗୋଟିଏ ମ୍ୟାଚକୁ କବଜା କରିବାରେ ଲାଗିଛି ଦଳ । ମୋଟ ୬ଟି ମ୍ୟାଚରୁ ୫ଟି ମ୍ୟାଚରେ ଜିତିଛି ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଗୁଜୁରାଟ । ଫଳରେ ଏହି ବିଜୟ ସହ ଆଇପିଏଲ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଗୁଜୁରାଟ ।
୨୯ତମ ଲିଗ ମ୍ୟାଚରେ ଟସ୍ ଜିତି ପ୍ରଥମେ ଚେନ୍ନାଇକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଗୁଜରାଟ । ଚେନ୍ନାଇକୁ ଆଶାନୁରୂପକ ଆରମ୍ଭ ମିଳି ପାରିନଥିଲା । ଦଳୀୟ ସ୍କୋର ମାତ୍ର ୭ ରନ୍ ହୋଇଥିବାବେଳେ ରବିନ ଉତ୍ଥାପାଙ୍କ ୱିକେଟ ହରାଇଥିଲା ଚେନ୍ନାଇ । ଅନ୍ୟ ଓପନର ଋତୁରାଜ ଗାୟକୱାଡ ବଡ଼଼ ସଟ୍ ଖେଳିବା ଜାରି ରଖିଥିଲେ । ସେ ୪୮ ବଲ୍ରୁ ୭୩ ରନ୍ କରିଥିଲେ । ରବିନ ଉତ୍ଥାପାଙ୍କ ଉପରେ ମୋଇନ ଅଲୀ ମଧ୍ୟ ବେଶୀ ସମୟ ପଡ଼ିଆରେ ବିତାଇ ପାରିନଥିଲେ । ଆମ୍ବତି ରାୟୁଡ଼ୁ ଓ ଗାୟକୱାଡଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଭାଗୀଦାରି ହୋଇଥିଲା । ଏହାପରେ ରାୟୁଡ଼ୁ ମଧ୍ୟ ପାଭିଲିୟନ ଫେରିଥିଲେ । ଶେଷ ବେଳକୁ ଅଧିନାୟକ ରବିନ୍ଦ୍ର ଜାଡେଜା ଆସି ବଡ଼ ସଟ୍ ଖେଳିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଚେନ୍ନାଇ ୫ ୱିକେଟ ହରାଇ ୧୬୯ କରିବାକୁ ସକ୍ଷମ ହୋଇଥିଲା । ଟାଇଟନ୍ସକୁ ୧୭୦ ରନ୍ ବିଜୟ ଲକ୍ଷ୍ୟ ଦେଇଛି ଚେନ୍ନାଇ ସୁପରକିଙ୍ଗ୍ସ୍ । ଗୁଜରାଟ ପକ୍ଷରୁ ମହମ୍ମଦ ଶାମୀ ଓ ୟଶ ଦୟାଲ ଗୋଟିଏ ଲେଖାଏଁ ୱିକେଟ ନେଇଥିବା ବେଳେ ଆଲଜାରି ଜୋଶେଫ ଦୁଇଟି ୱିକେଟ ନେଇଥିଲେ ।
୧୭୦ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରଥିଲା ଗୁଜୁରାଟ । ପ୍ରଥମରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ । ଓପନର ଶୁଭମନ ଗିଲ ଓ ବିଜୟ ଶଙ୍କର ଖାତା ଖୋଲି ନପାରି ଆଉଟ ହୋଇଥିଲେ । ରିଦ୍ଧିମାନ ଶାହା ୧୧ ଓ ଅଭିନବ ମନୋହର ୧୨ ରନ କରି ସଅଳ ପାଭିଲିୟନ ଫେରିଥିଲେ । ପରେ ପରେ ରାହୁଲ ତେୱାତିଆ ୬ ରନ କରି ଆଉଟ ହୋଇଥିଲେ । ଦଳର ପରାଜୟ ଆଶଙ୍କା ଦେଖା ଦେଇଥିଲା । ହେଲେ ମିଲର ଆଶା ଛାଡି ନଥିଲେ । ରସିଦ ଖାନଙ୍କ ସହ ମିଶି ବିଜୟ ଆଶା ଦେଖାଇଥିଲେ ଆଉ ସତ ବି କରିଥିଲେ । ୧୭ତମ ଓଭର ଯାଏ ସୁପରକିଙ୍ଗସର ବିଜୟ ନିଶ୍ଚିନ୍ତ ବୋଲି ଦେଖାଯାଉଥିଲା ହେଲେ ମିଲିର ଚେନ୍ନାଇ ହାତରୁ ମ୍ୟାଚ ଛଡାଇ ଆଣିଥିଲେ । ବିସ୍ଫୋରକ ବ୍ୟାଟିଂ କରି ରାସିଦ ୨୧ ବଲରୁ ୪୦ ରନ କରିଥିଲେ । ଦଳୀୟ ସ୍କୋର ୧୫୭ରେ ପହଞ୍ଚିଯାଇଥିଲା । ଶେଷ ଓଭରରେ ବିଜୟ ପାଇଁ ୧୩ ରନ ଦରକାର ଥିଲା । ଅପରାଜିତ ମିଲର ଗୋଟିଏ ବଲ ବାକି ଥାଇ ଦଳକୁ ବିଜୟୀ କରିଥିଲେ । ସେ ୫୧ ବଲରେ ୮ଟି ଚୌକା ଓ ୬ଟି ଛକା ବଳରେ ୯୪ ରନ କରିଥିଲେ ।
