ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ
ନୂଆଦିଲ୍ଲୀ : ବଦଳିଲା ଗୁଜୁରାଟର ରାଜନୀତି । ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ। ୫ବର୍ଷ କ୍ଷମତାରେ ରହିବା ପରେ ବିଧାନସଭା ନିର୍ବାଚନର ୧୫ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରାଜ୍ୟ ରାଜନୀତିରେ ନୂତନ ମୋଡ ଆସିଛି। ସେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ଇସ୍ତଫା ଦେବା ପରେ ସେ କହିଛନ୍ତି ଯେ, ମୁଁ ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଉଛି । ମୁଁ ବିଶ୍ୱାସ କରୁଛି ଯେ ବର୍ତ୍ତମାନ ଗୁଜରାଟର ବିକାଶର ଏହି ଯାତ୍ରା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନୂତନ ଉତ୍ସାହ ଏବଂ ନୂତନ ଶକ୍ତି ସହିତ ଆଗକୁ ବଢ଼ିବା ଉଚିତ୍। ଏହାକୁ ଦୃଷ୍ଟିରେ ରଖି ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଦାୟିତ୍ୱରୁ ଇସ୍ତଫା ଦେଉଛି। ସଂଗଠନ ଏବଂ ବିଚାରଧାରା ଆଧାରିତ ଦଳ ହୋଇଥିବାରୁ ଭାରତୀୟ ଜନତା ପାର୍ଟିର ଏହି ପରମ୍ପରା ରହିଛି ଯେ, ସମୟ ସହିତ କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ଵ ମଧ୍ୟ ବଦଳିବାରେ ଲାଗିବ । ଏହା ଆମ ପାର୍ଟିର ବିଶେଷତ୍ଵ ଯେ, ପାର୍ଟି ଦ୍ଵାରା ଯାହା ଦାୟିତ୍ଵ ମିଳେ ଆମକୁ କାର୍ଯ୍ୟକର୍ତ୍ତା ହିସାବରେ ଏହାର ନିର୍ବାହ କରିଥାଉ। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନିର୍ବାହ ପରେ ଏବେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନୂତନ ଦାୟିତ୍ଵ ସୂଚାରୁ ଭାବେ ତୁଲାଇବି। ପାର୍ଟି ଏବେ ମୋତେ ଯାହା ଦାୟିତ୍ଵ ଦେବ ତାକୁ ସଂପୂର୍ଣ୍ଣ ଦାୟିତ୍ଵର ସହ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ମାର୍ଗଦର୍ଶନରେ କାମ କରିବି।
ସୂଚନା ଯେ, ଆସନ୍ତା ୨୦୨୨ ଡିସେମ୍ବରରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ବିଜୟ ରୂପାଣୀଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଜୟ ରୂପାଣୀ କିଛି ସମୟ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଥିଲେ। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ମଧ୍ୟ ରାଜ୍ୟପାଳଙ୍କ ନିକଟକୁ ଯାଇଥିଲେ ବୋଲି ସୂଚନା ମିଳିଛି।
