ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଲାଗି ମାର୍ଗଦର୍ଶିକା ଜାରି : ହାତୀଙ୍କୁ ଜଗିବେ ମହୁମାଛି
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି । ଫଳରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଲାଗି ବନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ବର୍ଷା ଯୋଗୁଁ ବନ୍ୟ ଜନ୍ତୁଙ୍କର ଯେପରି କ୍ଷତି ନ ହୁଏ, ସେଥିଲାଗି ପ୍ରସ୍ତୁତ ରହିବା ପାଇଁ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଡିଏଫ୍ଓଙ୍କୁ କୁହାଯାଇଛି। ବିଶେଷ କରି ବାଲୁଖଣ୍ଡ ଓ ଭିତରକନିକାକୁ ଫୋକସରେ ରଖାଯାଇଛି।
ଏହାଛଡ଼ା ଜଙ୍ଗଲ କ୍ଷୟ ହେଉଥିବାରୁ ଖାଦ୍ୟ ପାଇଁ ହାତୀ ପଲ ଜନବସତି ଆଡକୁ ଚାଲି ଆସୁଛନ୍ତି। ହାତୀ ମଣିଷ ଲଢ଼େଇ ରୋକିବା ଲାଗି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନୂଆ ପ୍ରଣାଳୀ ଆପଣାଯାଇଛି। ଜନବସତି ଆଡ଼କୁ ହାତୀ ଯେପରି ନ ଆସିବେ ସେଥିଲାଗି ଆଫ୍ରିକୀୟ ଦେଶରେ ଜନବସତି ପାଖରେ ମହୁ ବସା ଲଗାଯାଏ। ମହୁମାଛିଙ୍କୁ ଆକଟ କରିବାରେ ଅକ୍ଷମ ହାତୀ। ଏହାଦ୍ୱାରା ସଂପୃକ୍ତ ଅଞ୍ଚଳ ଛାଡ଼ି ଚାଲିଯିବ ବୋଲି ଆଶା ବାନ୍ଧିଛି ବନ ବିଭାଗ। ପୂର୍ବରୁ ଆଫ୍ରିକା ଓ ଆସାମରେ ଏହି ପ୍ରକଳ୍ପ ସଫଳ ହୋଇଥିବାରୁ ଓଡ଼ିଶାରେ ମଧ୍ୟ ହାତୀ ଉପଦ୍ରବ କମାଇବାରେ ଏହା ବେଶ୍ ଉପଯୋଗୀ ହେବ ବୋଲି ରାଜ୍ୟ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଶଶୀ ପଲ୍ ମତ ରଖିଛନ୍ତି। ସେପଟେ ଦୁର୍ଦ୍ଦାନ୍ତ ବଣୁଆ ଦନ୍ତାଙ୍କ ଉପଦ୍ରବ କମ୍ କରିବା ପାଇଁ ହାତୀ ବେକରେ ଲଗାଯିବ ରେଡିଓ କଲାର। ଜିପିଏସ୍ ସଂଯୁକ୍ତ ଏହି ରେଡ଼ିଓ କଲାର ଦ୍ୱାରା ସାଟେଲାଇଟ୍ ମାଧ୍ୟମରେ ହାତୀର ଗତିବିଧି ଉପରେ ନଜର ରଖା ଯାଇପାରିବ। ଯାହାଫଳରେ ହାତୀ ଜନବସତି ମୁହାଁ ହେଉଛି କି ଚାଷ ଜମି ଆଡ଼କୁ ଯାଉଛି, ସେ ସମ୍ପର୍କରେ ସୂଚନା ମିଳିପାରିବ। ଯହାଦ୍ୱାରା କୌଣସି ଅଘଟଣ ପୂର୍ବରୁ ହାତୀକୁ ଘଉଡ଼ାଇ ଦିଆଯାଇପାରିବ। ଏଥିପାଇଁ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ୍ ଇଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ବିଶେଷଜ୍ଞମାନେ ଓଡ଼ିଶାରେ ପହଞ୍ଚିଛନ୍ତି।ଠିକ ସେହିପରି ଆଠମଲ୍ଲିକ ଓ କେନ୍ଦୁଝରରେ ଏଭଳି ପ୍ରଣାଳୀ ଆପଣାଯିବ ବୋଲି ପିସିସିଏଫ୍ କହିଛନ୍ତି। ସେହିପରି ହାତୀ ଗତିବିଧି ସମ୍ପର୍କରେ ଆଗୁଆ ସୂଚନା ଦେବାକୁ ବନ ସୁରକ୍ଷା ସମିତି ସଦସ୍ୟଙ୍କୁ ଗଜ ସାଥୀ ରୂପେ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି। ପ୍ରତି ବନ ସୁରକ୍ଷା ସମିତିର ପାଞ୍ଚ ଜଣଙ୍କୁ ଗଜ ସାଥୀ ରୂପେ ଦାୟିତ୍ୱ ଦେବାକୁ ଯୋଜନା କରାଯାଉଛି। ପ୍ରତି ବନ ସୁରକ୍ଷା ସମିତିକୁ ୨୫ ହଜାର ଟଙ୍କା ଲେଖାଏଁ ଦିଆଯିବ। ବାଦାମ ପାହାଡ଼ ଓ ଶିମିଳିପାଳରେ ହାତୀଙ୍କ ବେକରେ ରେଡ଼ିଓ କୋଲାର ଲଗାଯିବ। ହାତୀ ଉପଦ୍ରବରେ ଅଙ୍କୁଶ ଲଗାଇବାକୁ ମହୁମାଛିଙ୍କୁ ଉପଯୋଗ କରିବ ବନ ବିଭାଗ। ଯେଉଁ ଅଞ୍ଚଳରେ ହାତୀ ଉପଦ୍ରବ ଅଧିକ ରହୁଛି, ସେସବୁ ଜାଗାରେ ରହିବ ମହୁମାଛି ବକ୍ସ। ବକ୍ସଗୁଡ଼ିକ ତାରରେ ସଂଯୋଗ କରାଯିବ। ଯେତେବେଳେ ହାତୀ ସେହି ଅଞ୍ଚଳକୁ ପ୍ରବେଶ କରିବାକୁ ଉଦ୍ୟମ କରିବ, ସେତେବେଳେ ତାର ସଂସ୍ପର୍ଶରେ ଆସିବେ। ଆଉ ତାର ଦ୍ୱାରା ବକ୍ସ ଟାଣିହେଲେ ତା’ ଭିତରୁ ମହୁମାଛି ବାହାରିବେ।
