ଆଜିଠୁ ସେପ୍ଟେମ୍ବର ଗାଇଡଲାଇନ୍, ରାତି ୧୦ଯାଏ ସବୁ ଦୋକାନ ଖୋଲା
ଭୁବନେଶ୍ୱର : ସେପ୍ଟେମ୍ବର ମାସ ପାଇଁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍ ଜାରି କରାଯାଇଛି । ଲୋକମାନଙ୍କ ଜବୀନଜୀବିକାକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ନୂଆ ଗାଇଡଲାଇନ୍ ନେଇ ମଙ୍ଗଳବାର ପ୍ରେସବାର୍ତ୍ତା ଜରିଆରେ ସୂଚନା ଦେଇଥିଲେ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି) ପ୍ରଦୀପ ଜେନା । କରୋନା ସଂକ୍ରମଣକୁ ରୋକିବା ଦିଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛନ୍ତି । ତେଣୁ ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ୍ କୋହଳ ହୋଇଥିଲେ ସୁଦ୍ଧା କୋଭିଡ ନିୟମ କଡାକଡି ଭାବେ ପାଳନ କରିବା ପାଇଁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ରାଜ୍ୟ ସରକାର ।
ଏହିକ୍ରମରେ ଆଜିଠୁ ରାତି ୧୦ ଯାଏ ଖୋଲା ରହିବ ଦୋକାନ ବଜାର । ସକାଳ ୫ରୁ ରାତି ୧୦ ଯାଏଁ ସମସ୍ତ ଦୋକାନ ବଜାର ଖୋଲା ରହିବ । ସେପ୍ଟେମ୍ବରରେ ସବୁ ଖୋଲା। ଖସୁଥିବା କରୋନା ସଂକ୍ରମଣ ହାରକୁ ନଜରରେ ରଖି ରାଜ୍ୟ ସରକାର ସେପ୍ଟେମ୍ବର କଟକଣାକୁ ଆହୁରି କୋହଳ କରିଛନ୍ତି। ନୂଆ ଗାଇଡଲାଇନ ଅନୁସାରେ ସାପ୍ତାହିକ ସଟଡାଉନ ହଟାଇ ଦିଆଯାଇଛି। କେବଳ ପୌରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ ନାଇଟ୍ କର୍ଫ୍ୟୁ। ହଲ ମଲ ପୂର୍ଣ୍ଣ କ୍ଷମତାର ସହିତ ଖୋଲା ରହିବ। ବାହାଘର ,ବ୍ରତଘର, ଶୁଦ୍ଧି କାର୍ଯ୍ୟ ପାଇଁ ଏଣିକି ୨୫୦ ଲୋକଙ୍କୁ ଅନୁମତି ମିଳିବ। ଏହି ୨୫୦ ସଂଖ୍ୟା ଅତିଥୀ, ଆୟୋଜକ ଓ କର୍ମକର୍ତ୍ତାଙ୍କୁ ମିଶାଇ ରହିବ। ତେବେ ବିବାହ ଶୋଭାଯାତ୍ରାରେ କେବଳ ୫୦ ଜଣ ସାମିଲ ହୋଇପାରିବେ। ତେବେ ସେପ୍ଟେମ୍ବରରେ ମେଳା, ମହୋତ୍ସବ, ପ୍ରଦର୍ଶନୀ ଉପରେ ବାରଣ ଜାରି ରହିବ । ଆଗକୁ ଗଣେଶପୂଜା, ବିଶ୍ବକର୍ମା ପୂଜା ନୂଆଖାଇ ଭଳି ପାର୍ବଣ । ତେଣୁ ପୂଜା ପାର୍ବଣ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଅନୁଯାୟୀ ପାଳନ ହେବ। ଏଥିପାଇଁ ଅଗଷ୍ଟ ୯ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ଆୟୋଜକ ପାଳନ କରିବେ। ଏଥିସହିତ କରୋନାର ସାଧାରଣ ନିୟମାବଳୀ ପାଳନ କରିବା ଲାଗି ଏସଆରସି ପୁଣି ମନେ ପକାଇ ଦେଇଛନ୍ତି। ନୂଆ ଗାଇଡ୍ଲାଇନ୍ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାପରେ ସ୍ଥିତିକୁ ଦେଖି ରାଜ୍ୟ ସରକାର ଅକ୍ଟୋବର ଗାଇଡଲାଇନ ଘୋଷଣା କରିବେ।
