ଖରାଛୁଟି ପରେ ପାଠପଢା ନେଇ ଗାଇଡଲାଇନ ଜାରି ! ଦୁଇ ପ୍ରକାରର ବହି ପଢ଼ିବେ ପିଲା, ଶିକ୍ଷକ କରିବେ ସ୍ୱତନ୍ତ୍ର ଯୋଜନା
ଭୁବନେଶ୍ୱର : ଖରାଛୁଟି ପରେ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଚିନ୍ତା ବଢିବାକୁ ଯାଉଛି। ଖରାଛୁଟି ସରିବା ପରେ କିଭଳି ଭାବେ ପାଠ ପଢା ହେବ ସେନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସେପା ପକ୍ଷରୁ ଚିଠି ଲେଖାଯାଇଛି। ଖରାଛୁଟି ସରିବା ପରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ ବୋଲି ଚିଠିରେ କୁହାଯାଇଛି।
ରାଜ୍ୟରେ ବିଦ୍ୟାଳୟରେ ଜୁନ ୬ ତାରିଖରୁ ୧୦ ଦିନିଆ ଖରାଛୁଟି ଚାଲିଛି। ଖରାଛୁଟି ସରିବା ପରେ କିଭଳି ଭାବେ ବିଦ୍ୟାଳୟରେ ପାଠ ପଢାଯିବ ସେନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା) ପକ୍ଷରୁ ନିୟମାବଳୀ ଜାରି କରାଯାଇଛି। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ (ଡିପିସି)ଙ୍କୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ଚିଠି ଲେଖିଛନ୍ତି। ଠିକଣା ଢଙ୍ଗରେ ଶିକ୍ଷାଦାନ ଆରମ୍ଭ କରିବାକୁ ନିୟମାବଳୀ ଦିଆଯାଇଛି।
ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ଲେଖିଥିବା ଚିଠିରେ ଉଲ୍ଲେଖ ଅଛି ଯେ, ଖରାଛୁଟି ସରିବା ପରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ। ସମୟ ପୂର୍ବରୁ ଶତପ୍ରତିଶତ ପାଠ୍ୟଖସଡ଼ା ସାରିବ। ସଠିକ୍ ଶିକ୍ଷା ପାଇବା ଦିଗରେ ଯୋଜନା ହେବ। ବିଦ୍ୟାର୍ଥୀଙ୍କୁ ୨ ପ୍ରକାରର ପୁସ୍ତକ ମିଳିବ। ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରୟାସ କରାଯିବ। CRCCମାନେ କ୍ଲଷ୍ଟରରେ ପାଠପଢା ଉପରେ ରୀତିମତ ଯାଞ୍ଚ କରିବେ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଠପଢା ଉପରେ ପ୍ରଧାନଶିକ୍ଷକ ନଜର ରଖିବେ। ଏହି ଦିଗରେ ପଦକ୍ଷେପ ନେବାକୁ ଡିଇଓ ଓ ଡିପିସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପିଲାଙ୍କୁ କୋରୋନା କାଳର କ୍ଷତି ଭରଣା ପାଇଁ ପ୍ରସ୍ତୁତ ହୋଇଥିବା ପୁସ୍ତକ ସହ ପାଠ୍ୟକ୍ରମର ପୁସ୍ତକ ପଠାଯିବ। ସବୁ ବିଦ୍ୟାର୍ଥୀ ଯେଭଳି ଦୁଇ ପ୍ରକାର ପୁସ୍ତକ ପାଇବେ ସେ ଦିଗରେ ପ୍ରଧାନଶିକ୍ଷକ ଧ୍ୟାନ ଦେବେ। ବିଦ୍ୟାର୍ଥୀଙ୍କ ପାଇଁ ଶ୍ରେଣୀ ଓ ବିଷୟଭିତ୍ତିକ ପାଠପଢା ସମୟ ସାରଣୀ ପ୍ରତି ଶ୍ରେଣୀଗୃହରେ ଲଗାଯିବ। ଛାତ୍ରଛାତ୍ରୀଙ୍କ ଦକ୍ଷତା ଯାଞ୍ଚ ପରେ ଖରାପ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରୟାସ କରାଯିବ। ସେମାନଙ୍କୁ ପୃଥକ ଭାବେ ଅତିରିକ୍ତ ପାଠ ପଢାଯିବା ସହ ନିୟମିତ ପାଠ ମଧ୍ୟ ପ୍ରଦାନ କରାଯିବ।
ଶିକ୍ଷକମାନେ ପାଠପଢାରେ ହୋଇଥିବା କ୍ଷତି ଭରଣା ପାଇଁ ସ୍ବତନ୍ତ୍ର ଯୋଜନା କରିବେ। ସିଆରସିସି ମାନେ ନିଜ କ୍ଲଷ୍ଟରରେ ପାଠପଢା ଉପରେ ତୀକ୍ଷଣ ନଜର ରଖିବା ସହ ରୀତିମତ ଯାଞ୍ଚ କରିବେ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପ୍ରାଥମିକତା ଦେବେ। ବିଦ୍ୟାର୍ଥୀଙ୍କ ଉପଯୋଗୀ ପରିବେଶ ବିଦ୍ୟାଳୟରେ ସୃଷ୍ଟି କରାଯିବ। ଶିକ୍ଷକଙ୍କ ପାଠପଢା ତଥ୍ୟ ବିଦ୍ୟାଳୟରେ ସ୍ବତନ୍ତ୍ର ରେଜିଷ୍ଟରରେ ଉଲ୍ଲେଖ ରହିବ। ପ୍ରତି ପାଠ୍ୟକ୍ରମର ବିଷୟଗତ ନୋଟ ପିଲାଙ୍କୁ ପ୍ରଦାନ ପୂର୍ବରୁ ପ୍ରଧାନଶିକ୍ଷକ ତାକୁ ଯାଞ୍ଚ କରିବେ। ଏଦିଗରେ ପଦକ୍ଷେପ ନେବାକୁ ସବୁ ଡିଇଓ ଓ ଡିପିସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।
