ଫେବୃଆରୀ ମାସ ପାଇଁ ଗାଇଡଲାଇନ୍ ଜାରି : କର୍ଫ୍ୟୁରେ କୋହଳ
ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି , ୧୦୦% କର୍ମଚାରୀରେ ଚାଲିବ ଅଫିସ୍
ମାଘ ସପ୍ତମୀ , ପୂର୍ଣ୍ଣିମାରେ ଜଳାଶୟରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ
ଭୁବନେଶ୍ୱର : ଫେବୃଆରୀ ମାସ ଲାଗି ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ୱାରା ଜାରି ନୂଆ ଗାଇଡଲାଇନ୍ ଅନୁଯାୟୀ ଏଥର ମଧ୍ୟ ରାଜ୍ୟର ସମସ୍ତ ସହରାଂଚଳରେ ରାତି ୧୦ଟାରୁ ପରଦିନ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ । ସମସ୍ତ ସରକାରୀ କାର୍ଯ୍ୟାଳୟ, ସରକାରୀ ଉଦ୍ୟୋଗ, ସ୍ୱୟଂଶାସିତ ଅନୁଷ୍ଠାନ କୋଭିଡ୍ କଟକଣା ମଧ୍ୟରେ ୧୦୦ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥାନରେ ଚାଲିବ । ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି ଦିଆଯାଇଛି । ମାଘ ସପ୍ତମୀ ଓ ମାଘ ପୂର୍ଣ୍ଣିମାରେ ସମୁଦ୍ର, ନଦୀ, ପୋଖରୀ କିମ୍ବା ଅନ୍ୟ ଜଳାଶୟରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଛି । ଶ୍ରଦ୍ଧାଳୁମାନେ ଏସବୁ ଜଳସ୍ରୋତରେ ବୁଡ଼ ପକାଇ ପାରିବେ ନାହିଁ ।
ଏସଆରସି କହିଛନ୍ତି ଅଳ୍ପସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ସରସ୍ୱତୀ ପୂଜା କରାଯାଇ ପାରିବ । ତେବେ ସ୍କୁଲ ଓ ଶିକ୍ଷାନୁଷ୍ଠାନ ଛଡ଼ା ଅନ୍ୟତ୍ର ସରସ୍ୱତୀ ପୂଜାକୁ ବାରଣ କରାଯାଇଛି । କୋଭିଡ କଟକଣା ମଧ୍ୟରେ ଘରେ ପରିବାରର ସଦସ୍ୟଙ୍କ ସହ ପୂଜା ପାଳିବାକୁ ଜନସାଧାରଣଙ୍କୁ ଅନୁରୋଧ ଘରେ ରହି ପରିବାର ସହ ସରସ୍ୱତୀ ପୂଜା ପାଳନ ପାଇଁ ପରାମର୍ଶ ଦିଆଯାଇଛି । ପୂଜା ଅବସରରେ ହେଉଥିବା ଭୋଜିକୁ ଅନୁମତି ନାହିଁ । ଅତ୍ୟାବଶ୍ୟକୀୟ ସାମଗ୍ରୀର ହୋମ ଡେଲିଭରିକୁ ଅନୁମତି । ଜମାଟୋ ଓ ସ୍ୱିଗି ଆଦି ସଂସ୍ଥା ରେସ୍ତୋରାଁରୁ ଖାଦ୍ୟ ପହଂଚାଇ ପାରିବେ । ଓମଫେଡ୍, ଓପୋଲୋଫେଡ୍ ଓ ଚିଲିକା ଫ୍ରେସ୍ ଆଉଟଲେଟ୍ ରାତ୍ରିକାଳୀନ କର୍ଫ୍ୟୁ ବେଳେ ଖୋଲା ରହିପାରିବ । ସକାଳ ୫ଟାରୁ ରାତି ୧୦ ଟାଏ ସମସ୍ତ ପ୍ରକାର ଦୋକାନ, ମଲ୍, ସପିଂ କମ୍ପେ୍ଲକ୍ସ, ବଜାର, ହାଟ, ସିନେମା ହଲ୍, ସୁଇମିଂ ପୁଲ୍, ମନୋରଞ୍ଜନ କମ୍ପେ୍ଲକ୍ସ, ଥିଏଟର୍ ଓ ସମ୍ମିଳନୀ କକ୍ଷ ଖୋଲା ରହିପାରିବ ।
