ପେଟ୍ରୋଲ ଓ ଡିଜେଲରେ ଲାଗିବନି ଜିଏସଟି
ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବା ସମ୍ପର୍କରେ ଜିଏସଟି ପରିଷଦ ବୈଠକରେ କୌଣସି ସହମତି ହୋଇପାରିନାହିଁ । ତେଲକୁ ଜିଏସଟି ପରିସରଭୁକ୍ତ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ରଖିଥିଲେ ବି ରାଜ୍ୟ ସରକାରମାନେ ଏହାକୁ ବିରୋଧ କରିଥିଲେ । ଫଳରେ ପ୍ରସ୍ତାବକୁ କାଟ୍ ଖାଇଯାଇଛି । ତେଲକୁ ଜିଏସଟି ଅଧିନକୁ ଆଣିବାର ସମୟ ଆସିନାହିଁ ବୋଲି ପରିଷଦ ବୈଠକରେ ମତ ପ୍ରକାଶ ପାଇଥିଲା । ପରିଷଦର ଏହି ନିଷ୍ପତ୍ତି ଫଳରେ ତେଲ ଦର କମିବାକୁ ଆଶା ବାନ୍ଧିଥିବା ସାଧାରଣ ଜନତା ନିରାଶ ହୋଇଛନ୍ତି ।
ଜିଏସ୍ଟି କାଉନସିଲ ବୈଠକରେ ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଶୁଣାଯାଉଥିଲା । କିନ୍ତୁ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ସ୍ପଷ୍ଟ ସୂଚନା ଦିଆଯାଇଛି ଯେ, ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଉପରେ ଜିଏସ୍ଟି ଲାଗୁହେବ ନାହିଁ । ତୈଳ ଦର ଉପରେ ଜିଏସଟି ଲାଗୁ ହୋଇଥିଲେ ଦର ହ୍ରାସ ପାଇବାର ଯଥେଷ୍ଟ ସମ୍ଭାବନା ଥିଲା । ବିଭିନ୍ନ ରାଜ୍ୟ ମଧ୍ୟ ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍ଟି ପରିସରଭୁକ୍ତ କରିବାକୁ ବିରୋଧ କରୁଛନ୍ତି । କେରଳ ଏବଂ ମହାରାଷ୍ଟ୍ର ତୈଳ ଦରରେ ଜିଏସ୍ଟି ଲାଗୁକରିବାକୁ ନେଇ ବିରୋଧ କରିଆସୁଛନ୍ତି । ଜିଏସ୍ଟି ପରିଷଦ ବୈଠକରେ ଅନ୍ୟ ଦ୍ରବ୍ୟଗୁଡିକ ଉପରେ ଲାଗୁ ହେଉଥିବା କର ଉପରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ବାୟୋ ଡିଜେଲ ଦର ହ୍ରାସ ପାଇଛି । ପୂର୍ବରୁ ବାୟୋ ଡିଜେଲ ଉପରେ ୧୮ ପ୍ରତିଶତ ଜିଏସ୍ଟି ଲାଗୁ ହେଉଥିବା ବେଳେ ଏଣିକି ୫ ପ୍ରତିଶତ ଜିଏସ୍ଟି ଲାଗୁ ହେବ । ଲୁହା, କପର ଏବଂ ମାଙ୍ଗାନିଜ୍ ଉପରେ ଜିଏସ୍ଟି ବୃଦ୍ଧିପାଇଛି । ଏହି ସବୁ ଦ୍ରବ୍ୟ ଉପରେ ଜିଏସ୍ଟି ୫ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି କରାଯାଇଛି ।
