ବଢୁଛି ତାତି, ନୀଳଗିରିରେ କେବେ ଖୋଲିବ ଜଳଛତ୍ର?
ନୀଳଗିରି : ଦିନକୁ ଦିନ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରବାହ । ଉପର ମୁହାଁ ହେଲାଣି ପାରଦ । ଏପ୍ରିଲ ଆରମ୍ଭ ନ ହେଉଣୁ ଖରା ମୁଣ୍ଡବିନ୍ଧା ପରିସ୍ଥିତି ସୃଷ୍ଟି କରୁଛି । ପାରଦ ୩୫ ଡିଗ୍ରୀ ଛୁଇଁବାକୁ ବସିଛି । ଅଂଶୁଘାତ ପରିସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି । ମାତ୍ର ବଣ ପାହାଡ଼ ଘେରା ନୀଳଗିରି ବ୍ଲକର ଗୋଟିଏ ବି ସ୍ଥାନରେ ବର୍ତ୍ତମାନ ସୁଦ୍ଧା ଜଳ ବିତରଣ କେନ୍ଦ୍ର ଖୋଲି ନାହିଁ । ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏବର୍ଷ ଖରା ମାର୍ଚ୍ଚ ମାସରୁ ନୀଳଗିରି ବାସୀଙ୍କୁ ନାକେଦମ କରି ଆସୁଛି । ଆଗକୁ ଏପ୍ରିଲ ମାସ ଅସମ୍ଭାଳ ପରିସ୍ଥିତି ଉପୁଜିଲାଣି । ଏହା ପୂର୍ବ ବର୍ଷ ତୁଳନାରେ ଅଧିକ ପରିଲକ୍ଷିତ ହେଉଛି । କାରଣ ଚଳିତବର୍ଷ ନୀଳଗିରି ବାଇପାସ୍ ଛକ ଠାରୁ ମେଡ଼ିକାଲ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ପାଇଁ ଉଭୟ ପାର୍ଶ୍ୱରେ ଥିବା ଶହ ଶହ ବର୍ଷର ପୁରୁଣା ଗଛକୁ କାଟିଦିଆଯାଇଛି । ପ୍ରତିଦିନ ନୀଳଗିରି ଉପଖଣ୍ଡ ଅଧିନରେ ବସବାସ କରୁଥିବା ଜନସାଧାରଣ ନିଜ ନିଜର ଭିନ୍ନ ଭିନ୍ନ କାମ ପାଇଁ ନୀଳଗିରି ବ୍ଳକ, କଚେରୀ, ପୂର୍ତ୍ତ ବିଭାଗ , ଆଇଟିଡିଏ ଓଫିସ୍ ଓ ମେଡିକାଲକୁ ଆସୁଥିବା ବେଳେ ପୂର୍ବରୁ ଉକ୍ତ ଅଫିସ୍ ସଂଲଗ୍ନ ରାସ୍ତା ପାଶ୍ୱର୍ରେ ବଡ଼ ବଡ଼ ଗଛର ଛାଇ ଯୋଗୁଁ ଆଶ୍ୱସ୍ତି ଲାଭ କରୁଥିଲେ । ମାତ୍ର ଏବେ ଗଛଗୁଡ଼ିକ କଟା ଯାଇଥିବାରୁ ଖରା ତାତି ପବନ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବାର ପରିଲକ୍ଷିତ ହେଉଛି । ଦିନ ୧୨ଟା ବେଳକୁ ନୀଳଗିରି ବଜାରରେ ଅଘୋଷିତ କର୍ଫ୍ୟୁ ପରି ମନେ ହେଉଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ । ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାର ଦୁରର କଥା ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ଜଳଛତ୍ର ଖୋଲାଯାଇ ନାହିଁ । ଫଳରେ ଜନଗହଳି ଛକ ରାସ୍ତା କଡ଼ରେ ବୁନ୍ଦାଏ ଜଳ ପାଇଁ ଏବେ ଡହଳ ବିକଳ ପରିସ୍ଥିତି ସୃଷ୍ଟି ହେଉଛି । ଆସନ୍ତାଦିନରେ ରାସ୍ତା ପାଶ୍ୱର୍ରେ ଗଛ ଲଗାଇବା ପାଇଁ ସାଧାରଣରେ ଦାବି ହେଉଛି । ବର୍ତ୍ତମାନ ସୁଦ୍ଧା ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବା ବେଳେ ଏ ନେଇ ନୀଳଗିରି ଉପ-ଜିଲାପାଳଙ୍କୁ ପଚାରିବାରୁ ଏପ୍ରିଲ ମାସରେ ଖୋଲାଯିବାର ସୂଚନା ଦେଇଛନ୍ତି ।
