ପୂର୍ବ ଶତୃତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ : ୭ଆହତ, ୨କୋର୍ଟ ଚାଲାଣ
ସିମୁଳିଆ : ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଣ୍ଡରାଇ ଅଞ୍ଚଳରେ ଜମିବାଡ଼ି ବିବାଦରୁ ପୂର୍ବ ଶତୃତାକୁ କେନ୍ଦ୍ରକରି ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୭ଜଣ ଆହତ ହୋଇଛନ୍ତି । ଉଭୟ ଗୋଷ୍ଠୀଙ୍କ ଅଭିଯୋଗ ମୂଳେ ପୋଲିସ (୧୫୬/୨୨) ଓ (୧୫୭/୨୨) ନଂ ମୂଳେ ଦୁଇଟି ମାମଲା ରୁଜୁ କରିଥିବା ବେଳେ ସୋମନାଥ ମହାରଣା(୭୦) ଓ ଗୋପୀନାଥ ମହାରଣା(୪୨)ଙ୍କୁ କୋର୍ଟ ଚାଲାଣ କରିଛି । ଘଟଣା ସ୍ଥଳରୁ ପୋଲିସ ମାରଣାସ୍ତ୍ର ଜବତ କରିଛି । ଅପରପକ୍ଷେ ଗୋଟିଏ ଗୋଷ୍ଠୀର ମହେନ୍ଦ୍ର ମହାରଣା (୫୨) ଓ ସୁରେନ୍ଦ୍ର ମହାରଣା (୫୦) ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଖଗେନ୍ଦ୍ର ମହାରଣା (୫୦) ଭଦ୍ରକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ଅପରପକ୍ଷରେ ପ୍ରଫୁଲ ମହାରଣା(୩୩) ମଧ୍ୟ ଆହତ ହୋଇ ଭଦ୍ରକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଉଭୟ ଗୋଷ୍ଠୀ ପରସ୍ପର ୧୪ଜଣଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ଉଭୟ ଗୋଷ୍ଠୀ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ଗତ ପ୍ରାୟ ୨ବର୍ଷ ପୂର୍ବେ ପ୍ରଫୁଲ ମହାରଣା ଅନ୍ୟମାନଙ୍କୁ ଆକ୍ରମଣ କରିଥିବାର ମାମଲା ମଧ୍ୟ ଥାନାରେ ରୁଜୁ ହୋଇଥିଲା ।
ସୂଚନା ଯେ, ଏହି ପରିବାର ମଧ୍ୟରେ ଜମିଜମା ବିବାଦ ରହିଆସିଥିବା ବେଳେ ଉଭୟ ଦୁଇଗୋଷ୍ଠୀ ଦୁଇ ରାଜନୈତିକ ଦଳର ହୋଇଥିବାରୁ ଉଭୟଙ୍କୁ ଉଭୟ ଦଳର ଲୋକମାନେ ମତାଇ ଗଣ୍ଡଗୋଳକୁ ପ୍ରୋତ୍ସାହନ ଯୋଗାଉଥିବାର ସୂଚନା ମିଳିଛି ।
