ସୁପରଟେକରେ ଘର କିଣିଥିବା ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ! ବୁଡିବନି କାହାରି ଟଙ୍କା : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ସୁପରଟେକରେ ଘର କିଣିଥିବା ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି । ପ୍ରିମକୋର୍ଟ ଟଙ୍କା ଫେରସ୍ତ ପାଇଁ ଦାବି କରୁଥିବା ଗ୍ରାହକଙ୍କ ସହ ସିଧା ଆଲୋଚନା କରିବାକୁ ଅନ୍ତରିଣ ସମାଧାନ ପାଇଁ ଗଠିତ ଟିମକୁ କହିଛନ୍ତି । ଏହାସହ ଯେଉଁମାନେ ଟଙ୍କା ରିଫଣ୍ଡ ପାଇଁ ଦାବି କରୁଛନ୍ତି ସେମାନଙ୍କ ଟଙ୍କା କମ୍ପାନୀ ପାଖରେ ଅଛି ନାଁ ତାହା କୋର୍ଟଙ୍କୁ ଜଣାଇବାକୁ କହିଛନ୍ତି । ସୁପରଟେକ ଦେବାଳିଆ ଘୋଷଣା ହେବା ପରେ ଚିନ୍ତାରେ ଥିବା ଫ୍ଲାଟ ଧାରକଙ୍କୁ କୋର୍ଟଙ୍କ ଏହି ନିଷ୍ପତ୍ତି ଆଶ୍ୱସ୍ତି ପ୍ରଦାନ କରିଛି ।
ସୂଚନା ଯେ ନିକଟରେ ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ଅନୁରୋଧରେ ସୁପରଟେକକୁ ଦେବାଳିଆ ଘୋଷଣା କରିବା ପ୍ରକ୍ରିୟା ଆରମ୍ଭ କରିଥିଲା। ସୁପରଟେକ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୪୦୦ କୋଟି ଟଙ୍କାର ଋଣ ନେଇଛି, ଯାହା ପରିଶୋଧ କରିପାରି ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମାର୍ଚ୍ଚ ୨୫ରେ ସୁପରଟେକ ଟ୍ୱିନ ଟାୱାରରେ ଫ୍ଲାଟ କିଣିଥିବା ୭୧୧ ଜଣଙ୍କ ମଧ୍ୟରୁ ୬୫୨ ଜଣଙ୍କ ଟଙ୍କା ଫେରାଇ ଦେଇଥିଲା। ଅନ୍ୟ ୫୯ ଜଣଙ୍କ ପ୍ରାୟ ୧୪.୯୬ କୋଟି ଦେବାକୁ କମ୍ପାନୀ ବାକି ରହିଛି। ଜଷ୍ଟିସ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ସମସ୍ତ ଫ୍ଲାଟ ଧାରକଙ୍କୁ ଏପ୍ରିଲ ୧୫ ସୁଦ୍ଧା ଅନଲାଇନ କ୍ଲେମ ଦାଖଲ କରିବାକୁ କହିଛନ୍ତି।
