ରାଜ୍ୟପାଳଙ୍କ ବଲାଙ୍ଗିର ଗସ୍ତ, ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ
ବଲାଙ୍ଗିର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୨ଦିନିଆ କଳାହାଣ୍ଡି, ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କ୍ରମରେ ଟ୍ରେନ ଯୋଗେ ସକାଳେ ଭବାନିପାଟଣାରେ ପହଞ୍ଚିଥିଲେ । ସେଠାରୁ ସର୍କିଟ ହାଉସରେ ପହଞ୍ଚିବା ପରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଜିଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲାପାଳ ଚଞ୍ଚଳ ରାଣା ଓ ବଲାଙ୍ଗିର ଦାୟିତ୍ୱରେ ଥିବା ବରଗଡ଼ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାର ପ୍ରମୁଖ ରାଜ୍ୟପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
ସର୍କିଟ ହାଉସରେ ବଲାଙ୍ଗିର ଜିଲାସ୍ତରୀୟ ଅଧିକାରୀଙ୍କର ଏକ ବୈଠକରେ ରାଜ୍ୟପାଳ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲାପାଳ ଚଞ୍ଚଳ ରାଣା ବଲାଙ୍ଗିର ଜିଲ୍ଲାରେ କାର୍ଯକାରୀ ହେଉଥିବା ବିଭିନ୍ନ ଉନ୍ନୟନ ଓ ଜନହିତକର କାର୍ଯକ୍ରମର ରୂପରେଖ ଓ ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଆକାଙ୍ଖି ଜିଲାକୁ ପ୍ରେରଣାଦାୟୀ ଜିଲା ଭାବେ ପରିଣତ କରିବା ଦିଗରେ ନିଷ୍ଠାପର ଉଦ୍ୟମ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।
ପ୍ରଗତି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବା, ନିରାପଦ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଏତଦବ୍ୟତୀତ ମିଶନ ଶକ୍ତି, ଜୀବିକା ମିଶନ କାର୍ଯକ୍ରମ ସମ୍ପର୍କରେ ଆଲୋଚନା କରିବା ସହ ଯୋଜନା ଗୁଡ଼ିକର ସଫଳ ରୂପାୟନ ଦିଗରେ ବିଭାଗୀୟ ଅଧିକାରୀମାନେ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଜିଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗିର ଦାୟିତ୍ୱରେ ଥିବା ବରଗଡ଼ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାର, ଅତିରିକ୍ତ ଜିଲାପାଳ ଲମ୍ବୋଦର ଧରୁଆ ଓ ଡିଏଫଓ ନିତୀଶ କୁମାରଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପରେ ରାଜ୍ୟପାଳ ସର୍କିଟ ହାଉସରୁ ବାହାରି ବଲାଙ୍ଗିର ସହରସ୍ଥିତ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ରୋଟାରୀ କ୍ଲବ ଅଫ ଇଲାଇଟ, ବଲାଙ୍ଗିର ଦ୍ୱାରା ଆୟାଜିତ ଉଡ଼ାନ ମିଟ ୨୦୨୨ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ପରେ ସେଠାରୁ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ନିକଟରେ ଥିବା ମାରୱାଡି ସେବା ସଦନକୁ ଯାଇ ମାରୱାଡି ପଞ୍ଚାୟତ ଓ ବଲାଙ୍ଗିର ଦ୍ୱାରା ପରିଚାଳିତ ସେବା ସଦନ କୋଠାର ଦ୍ୱିତୀୟ ମହଲାକୁ ଉଦଘାଟନ କରିଥିଲେ । ଶେଷରେ ଜିଲାପାଳ ଶ୍ରୀ ରାଣା ଧନ୍ୟବାଦ ଅର୍ପଣ କରିଥିଲେ ।
