ପୌର ଆଇନରେ ସଂଶୋଧନକୁ ରାଜ୍ୟପାଳଙ୍କ ଅନୁମୋଦନ : ନିର୍ବାଚନରେ ସଂରକ୍ଷଣକୁ ସର୍ବାଧିକ ୫୦% ଭିତରେ ସୀମିତ ରଖାଯିବ
ଭୁବନେଶ୍ୱର : ପୌର ଆଇନରେ ସଂଶୋଧନକୁ ରାଜ୍ୟପାଳଙ୍କ ଅନୁମୋଦନ । ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ସଂରକ୍ଷଣକୁ ସର୍ବାଧିକ ୫୦% ଭିତରେ ସୀମିତ ରଖାଯିବ । ଏଥିପାଇଁ ପୌର ଆଇନରେ ଆବଶ୍ୟକ ସଂଶୋଧନ କରାଯାଇଛି । ଏହି ସଂଶୋଧନ ବିଲ୍ ଗତ ମାସ ୭ ତାରିଖରେ ବିଧାନସଭାରେ ପାରିତ ହୋଇଥିଲା ।
ବିଲ୍କୁ ରାଜ୍ୟପାଳ ଅନୁମୋଦନ ଦେବାପରେ ରାଜଭବନ ପକ୍ଷରୁ ତାହାକୁ ଆଇନ ବିଭାଗକୁ ପଠାଇ ଦିଆଯାଇଛି । ତେଣୁ ଆଇନ ବିଭାଗ ପକ୍ଷରୁ ଯେ କୌଣସି ସମୟରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇପାରେ । ଏହାପରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯିବା ପାଇଁ ବାଟ ଫିଟିବ । ତେବେ ସରକାର ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ଉପରେ ଧ୍ୟାନ ରଖିଥିବାରୁ ସେହି ସମୟରେ ପୌର ନିର୍ବାଚନ ହେବାର ସମ୍ଭାବନା କମ୍ । ଆସନ୍ତା ବର୍ଷ ଦ୍ବିତୀୟାର୍ଦ୍ଧରେ ପୌର ନିର୍ବାଚନ ହୋଇପାରେ ବୋଲି ଅନୁମାନ କରାଯାଉଛି ।।
