ସୁନା କାନଫୁଲ ଜବତ: ଜଣେ ଗିରଫ
କଟକ : ମଙ୍ଗଳାବାଗ ଥାନା ପୋଲିସ ଛିନତାଇ କରିଥିବା ଜଣେ ଅଭିଯୁକ୍ତକୁ ଗିରଫ କରିବା ସହିତ ତା’ ନିକଟରୁ ଗୋଟିଏ ୫.୬୭ ଗ୍ରାମ ଓ ଗୋଟିଏ ୧.୫ ଗ୍ରାମ୍ ଓଜନର ସୁନା କାନଫୁଲ ଜବତ କରିଛି । ଗିରଫ ଅଭିଯୁକ୍ତ ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ କାବେର ମାଧପୁରର ମୂଳବାସିନ୍ଦା ତଥା ମଙ୍ଗଳାବାଗ ଥାନା ଅନ୍ତର୍ଗତ ମାଛୁଆବଜାର ଆଖଡାଗଳିର ରାଜେଶ କୁମାର ବାରକ(୨୨) । ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳାବାଗ ଥାନା ଅନ୍ତର୍ଗତ ବଣିଆସାହିର ମହାରଣା ଗଳିର ମାନସୀ ପୃଷ୍ଟି ଗତ ୩ ତାରିଖ ରାତି ୮ଟା ୩୦ରେ ବଣିଆସାହି ଘରକୁ ଫେରୁଥିବା ବେଳେ କେହି ଦୁର୍ବୃତ୍ତ ହଠାତ ତାଙ୍କ ବାମପଟ କାନକୁ ଝିଙ୍କି ସେ ପିନ୍ଧିଥିବା ସୁନା କାନ ଛିଣ୍ଡାଇ ନେଇ ପଳାଇଯାଇଥିବାର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅନୁସନ୍ଧାନ ଚଳାଇ ଉପରୋକ୍ତ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।
